ଭୁବନେଶ୍ୱର,୧୪/୨: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ଦରମା ବୃଦ୍ଧି ନେଇ ମତ ରଖିବା ସହ କିଛି ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଅଙ୍ଗନବାଡି ଭଉଣୀମାନଙ୍କୁ କେନ୍ଦ୍ରସରକାର ୨୦୧୮ ସେପ୍ଟେମ୍ବର ମାସରେ ୧୫୦୦ ଟଙ୍କା ମାନଧନ ବୃଦ୍ଧି ପାଇଁ ନିଷ୍ପତ୍ତି ନେବାସହ ଏହାକୁ ଅକ୍ଟୋବର ୨୦୧୮ ମସିହାରୁ କାର୍ଯାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ବିଜେଡି ସରକାର କେନ୍ଦ୍ରସରକାରଙ୍କର ଏହି ଘୋଷଣାକୁ ଦୀର୍ଘଦିନ ଧରି କାର୍ଯ୍ୟକାରୀ ନ କରି ପକାଇ ରଖିଥିଲେ। ଏବେ ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ବର୍ଦ୍ଧିତ ଏହି ମାନଧନକୁ ସତେ ଯେମିତି ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି ସେଭଳି ଘୋଷଣା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବାହାବାହା ନେବାପାଇଁ ଅପଚେଷ୍ଟା କରୁଛନ୍ତି।
ପରଘର ତିଅଣରେ ଅତିଥି ସତ୍କାର କରିବାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ। ଓଡ଼ିଶାର ଅଙ୍ଗନବାଡି ଭଉଣୀମାନଙ୍କୁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କ୍ରିୟାନ୍ବୟନ ପାଇଁ ସେମାନଙ୍କ କାମ ଠାରୁ ଅଧିକ କାମରେ ନିୟୋଜନ କରି ଆସୁଛନ୍ତି । ଏହି ଅଧିକ କାମ ପାଇଁ ରାଜ୍ୟ ସରକାରଙ୍କଠାରୁ ଅଧିକ ଆର୍ଥିକ ରାଶି ପାଇବା ଅଙ୍ଗନଓ୍ବାଡି ଭଉଣୀମାନଙ୍କର ଅଧିକାର। ବିଭିନ୍ନ ରାଜ୍ୟ ସେମାନଙ୍କ ନିଜସ୍ବ ବଜେଟରୁ ଅଧିକା କାମ ପାଇଁ ଅଧିକା ଅର୍ଥ ଯୋଗାଇ ଦେଉଛନ୍ତି । ଭାଜପା ଶାସିତ ହରିୟାଣାରେ ଅଙ୍ଗନବାଡି ଭଉଣୀମାନଙ୍କର ମାସିକ ମାନଧନ ୧୩ ହଜାର ଟଙ୍କା ।
ରାଜ୍ୟ ସରକାର ବର୍ତ୍ତମାନ ଅଙ୍ଗନବାଡି ଭଉଣୀମାନଙ୍କୁ ପିଠା, କାଳିଆ ଯୋଜନା ଆଦି କାର୍ଯ୍ୟକ୍ରମରେ ଲଗାଇଛନ୍ତି । ୧୩ ହଜାର ଟଙ୍କା ନ ହେଲେ ପଛେ ନାହିଁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଅଧିକ ଅର୍ଥ ଦେଇ ସେମାନଙ୍କ ମାସିକ ମାନଧନକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କଲେ ଅଙ୍ଗନବାଡି ଭଉଣୀମାନଙ୍କ ପରିଶ୍ରମର କିଞ୍ଚିତ ମୂଲ୍ୟ ସେମାନଙ୍କୁ ମିଳିପାରନ୍ତା ।