ନୂଆଦିଲ୍ଲୀ, ୨୫/୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନିମନ୍ତେ ନିର୍ମିତ ‘ସଦେବ ଅଟଳ’ ନାମକ ସ୍ମୃତିପୀଠକୁ ମଙ୍ଗଳବାର ଦେଶ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି । ବାଚପେୟୀଙ୍କ ୯୪ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନଥ କୋବିନ୍ଦ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଅନେକ ନେତା ତାଙ୍କ ସ୍ମୃତିପୀଠରେ ପୁଷ୍ପ ଅପର୍ଣ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଅଟଳ ବିହାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଝିଅ ନମିତା ଭଟ୍ଟାଚାର୍ୟ୍ୟ ପହଂଚିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଓ କ୍ୟାବିନେଟ ମନ୍ତ୍ରୀମାନେ ପହଂଚିଛନ୍ତି । ‘ଅଟଳ ସ୍ମୃତି ନ୍ୟାସ ସୋସାଇଟି’ ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଅତିଥିମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଜାତୀୟ ରାଜଧାନୀ ନୂଆଦିଲ୍ଲୀର ରାଜଘାଟ ନିକଟରେ ଏଥିପାଇଁ ପ୍ରାର୍ଥନା ସଭା ଅନୁଷ୍ଠିତ ହେଉଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟଳ ବିହାରୀ ବାଚପେୟୀଙ୍କ ଜୟନ୍ତୀ ଅବସରରେ ଟ୍ୱିଟ୍ କରି କହିଛନ୍ତି କି, ଆମ ସମସ୍ତଙ୍କ ପ୍ରିୟ, ପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଅଟଳ ବିହାରୀ ବାଚପେୟୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶତ-ଶତ ପ୍ରଣାମ । ତାଙ୍କ ଯୋଗଦାନକୁ ସର୍ବଦା ସ୍ମରଣ କରାଯିବ ।