ଅନୁଭବଙ୍କୁ ଦେଖିବା ପାଇଁ ବଳଦେବଜିଉ ମନ୍ଦିରକୁ ପଶିଗଲେ ଅଣହିନ୍ଦୁ

0

କେନ୍ଦ୍ରାପଡ଼ା,୧୦/୪: କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଅଭିନେତା ଅନୁଭବ ମହାନ୍ତିଙ୍କୁ ଦେଖିବା ପାଇଁ ଆଜି ଜଣେ ଅଣହିନ୍ଦୁ ଯୁବକ ବଳଦେବଜିଉଙ୍କ ମନ୍ଦିରରେ ପଶି ଯାଇଥିଲେ। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହେବା ସହ ସଂପୃକ୍ତ ଯୁବକଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ କୁହାଯାଇଛି। ଏଥିପାଇଁ ମନ୍ଦିର ନୀତି ବି ୪ ଘଣ୍ଟା ବିଳମ୍ବ ହୋଇଛି। ସୂଚନା ଅନୁଯାୟୀ ଅନୁଭବ ନାମାଂକନ ପତ୍ର ଦାଖଲ କରିବାକୁ ଯିବା ପୂର୍ବରୁ ଇଚ୍ଛାପୁର ସ୍ଥିତ ବଳଦେବଜିଉଙ୍କ ଦର୍ଶନ କରିବାକୁ ଯାଇଥିଲେ । ଏହି ସମୟରେ ଅନୁଭବଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲା। ସାଲେପୁର ଅଂଚଳର ଜଣେ ଅଣହିନ୍ଦୁ ଯୁବକ ମନ୍ଦିର ବେଢ଼ା ଭିତରକୁ ସେହି ସମୟରେ ପଶି ଆସିଥିଲେ। ସେଠାରେ ଉପସ୍ଥିତ ଜଣେ ପୂଜକ ଉକ୍ତ ଯୁବକଙ୍କ ନାମ, ଗୋତ୍ର ପଚାରିଲା ବେଳେ ସେ ଅନ୍ୟ ଧର୍ମର ବୋଲି କହି ଭୁଲ ମାଗିଥିଲେ। ତେବେ ସେ ଏ ସମ୍ପର୍କରେ ନଜାଣି ସିନେ ତାରକା ଅନୁଭବଙ୍କୁ ଦେଖିବାକୁ ମନ୍ଦିର ବେଢ଼ାକୁ ଚାଲି ଆସିଥିଲେ ବୋଲି କହିଥିଲେ।
ଉକ୍ତ ଯୁବକଙ୍କୁ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ରେ ହାଜର କରାଯାଇଥିଲା। ମନ୍ଦିର ପରିଚାଳନା କର୍ତୃପକ୍ଷ ଫାଣ୍ତି କର୍ମଚାରୀଙ୍କ ଜରିଆରେ ଉକ୍ତ ଯୁବକଙ୍କୁ ଟାଉନ୍ ଥାନାକୁ ହସ୍ତାନ୍ତର କରିଥିଲେ। ଯୁବକ ଜଣକ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିବା ସହ ମନ୍ଦିରର ଶୁଦ୍ଧିକରଣ ପାଇଁ ଆବଶ୍ୟକ ଅର୍ଥ ଜମା ଦେବାକୁ ରାଜି ହେବାରୁ ସମସ୍ୟାର ସମାଧାନ ହୋଇଥିଲା। ଏହି ଘଟଣାକୁ ନେଇ ଠାକୁରଙ୍କ ନୀତିକାନ୍ତି ୪ ଘଣ୍ଟା ବିଳମ୍ବ ହୋଇଥିଲା। ମନ୍ଦିର ଟ୍ରଷ୍ଟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ କହିବା ଅନୁସାରେ, କେବଳ ପିତଳ ସାମଗ୍ରୀକୁ ଛାଡ଼ି ଠାକୁରଙ୍କ ସବୁ ସାମଗ୍ରୀ ବଦଳା ଯିବ। ଶ୍ରୀଜିଉଙ୍କୁ ମହାସ୍ନାନରେ ଧୂପ ଦୀପ ଦେଇ ଶୋଧ କରାଯିବ। ରୋଷ ସାମଗ୍ରୀ ସବୁ ବଦଳାଯିବ। ରୋଷଘର, ୧୪ଟି ଚୂଲାରୁ ସମ୍ପୂର୍ଣ୍ଣ ପାଉଁଶ କାଢ଼ି ସଫା କରାଯିବ। ଗୋବରରେ ଲିପା ଯିବ। ଦିନ ୧୧ଟାରେ ଧୂପ ଭୋଗ ପାଇଁ ପ୍ରସ୍ତୁତ ପ୍ରସାଦ, କୁଲା, ଟୋକେଇ, ଝୁଡ଼ି ନଷ୍ଟ କରାଯିବ। ପ୍ରସାଦ ଗୁଡ଼ିକୁ ନେଇ ମନ୍ଦିର ପଛପଟେ ପୋତି ଦିଆଯାଇଛି। ବର୍ତମାନ ପ୍ରସାଦ ପ୍ରସ୍ତୁତ ବାବଦ ପାଉଣା ଓ ଦୁଇ ବେଳା ପ୍ରସାଦର ମୂଲ୍ୟ ଭରଣା କରିବାକୁ ପଡ଼ିବ। ୨ଟା ବେଳେ ଯେଉଁ ପ୍ରସାଦ ବାହାରିବା କଥା ତାହା ବାହାରି ପାରିବ ନାହିଁ। ଏ ବାବଦ ଖର୍ଚ୍ଚ ୨୫ ହଜାର ଟଙ୍କା ମନ୍ଦିର ଅଫିସ୍‌ରେ ଜମା ଦିଆଯିବାକୁ ସଂପୃକ୍ତ ଯୁବକଙ୍କୁ କୁହାଯାଇଛି ବୋଲି ଶ୍ରୀ ପତ୍ରୀ କହିଛନ୍ତି।

Leave A Reply

Your email address will not be published.