ଅନ୍ଲାଇନ୍ ଚ୍ୟାଲେଞ୍ଜ ଆଜି କାଲିକା ନୂଆ ଟ୍ରେଣ୍ଡ ହେବାକୁ ଲାଗିଛି । କିନ୍ତୁ ତା’ର ପରିଣତି ସମୟେ ସମୟେ ଖୁବ୍ ଭୟାବହ ହୁଏ ବୋଲି ଜାଣି ମଧ୍ୟ ଅଜଣା ହୁଅନ୍ତି ବର୍ତ୍ତମାନର ଯୁବପିଢି । ସେହିଭଳି ଜଣେ ବ୍ୟକ୍ତି ଅନ୍ଲାଇନ୍ ଚ୍ୟାଲେଞ୍ଜ ଗ୍ରହଣ କରି ତାଙ୍କ ପ୍ରଶଂସକଙ୍କ ଇଚ୍ଛାକୁ ପୂରା କରୁ କରୁ ନିଜର ଜୀବନ ହରାଇଛନ୍ତି । ଇଣ୍ଟରନେଟ୍ର ହିରୋ ହେବା ପାଇଁ ଚୀନ୍ର ୨୯ ବର୍ଷୀୟ ଯୁବକ ନିଜ ଜୀବନକୁ ନଷ୍ଟ କରିଦେଇଛନ୍ତି । ନର୍ଥଇଷ୍ଟ ଚୀନ୍ର ଅଧିବାସୀ ଚୁ ୩ ମାସ ପୂର୍ବେ ନିଜ ଫ୍ୟାନ୍ସଙ୍କ ପାଇଁ ଅନ୍ଲାଇନ୍ ଚ୍ୟାଲେଞ୍ଜ ଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ । ତେଣୁ ଲଗାତାର ୩ ମାସ ଧରି ଅନ୍ଲାଇନ୍ରେ ଫ୍ୟାନ୍ସମାନେ ଯାହା ପିଇବାକୁ ଡିମାଣ୍ଡ କରନ୍ତି ସେ ପିଅନ୍ତି । ସେ ଆଲ୍କହଲ୍ ହେଉ ଅବା ରୋଷେଇରେ ବ୍ୟବହୃତ ତେଲ । ପିଉଥିବା ସମୟରେ ତାହାର ଭିଡିଓ ଓ ଲାଇଭ୍ କରି ସୋସାଲ ମିଡିଆରେ ଅପ୍ଲୋଡ କରନ୍ତି । ଯାହା ବଦଳରେ ତାଙ୍କ ପ୍ରଶଂସକ ତାଙ୍କୁ ପଇସା ମଧ୍ୟ ଦେଉଥିଲେ । ତେଣୁ ସେ ଅଧିକ ଉସିାହିତ ହୋଇ ଯିଏ ଯାହା ଡିମାଣ୍ଡ କରୁଥିଲା ତାକୁ ପିଇ ଦେଉଥିଲେ । ଅଳ୍ପଦିନରେ ତାଙ୍କ ପେଟରେ ସମସ୍ୟା ହେଲା ଯାହାକୁ ସେ ଧ୍ୟାନ ନଦେଇ ଚ୍ୟାଲେଞ୍ଜରେ ବ୍ୟସ୍ତ ରହିଲେ । ଫଳତଃ ବର୍ତ୍ତମାନ ସେ ଏହି ଦୁନିଆରୁ ବିଦାୟ ନେଇସାରିଛନ୍ତି । ତେଣୁ ତାଙ୍କର ସମସ୍ତ ଭିଡିଓକୁ ସୋସାଲ୍ମିଡିଆରୁ ହଟାଇ ଦିଆଯାଇଛି ।