ଭୁବନେଶ୍ୱର,୨୩/୫: ସମଗ୍ର ଦେଶରେ ମୋଦୀ ସୁନାମୀ ଓଡ଼ିଶାରେ ପ୍ରଭାବହୀନ ରହିଛି। ଫେଲ ମାରିଛି ମୋଦୀ ମ୍ୟାଜିକ୍। କାମ ଦେଲାନି ଡବଲ ଇଂଜିନର ଡାକରା । ପୁଣି ଥରେ ସମସ୍ତ କଳ୍ପନାଜଳ୍ପନାକୁ ପଛରେ ପକାଇ ଲଗାତାର ପଂଚମଥର ପାଇଁ ବିଜୁ ଜନତା ଦଳ ଓଡିଶାରେ ସରକାର ଗଠନ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଏଥର ୧୦୫ ଆସନରେ ବିଜୟୀ ହେବା ନେଇ ସ୍ପଷ୍ଟ ସୂଚନା ମିଳୁଛି । ତେବେ ନବୀନ ମଧ୍ୟ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇସାରିଛି ।
ଆଜି ସକାଳୁ ଭୋଟଗଣନା ଆରମ୍ଭ ହେବା ପରଠାରୁ ଭାରତୀୟ ଜନତା ପାର୍ଟୀ ଏବଂ ବିଜୁ ଜନତା ଦଳ ମଧ୍ୟରେ ଛକାପଂଝା ଲାଗି ରହିଥିଲା । ବିଜେଡି ଅଳ୍ପ ଭୋଟରେ ଆଗୁଆ ଥିବା ଅନେକ ଆସନରେ ଦେଖିବାକୁ ମିଳୁଥିଲା । ଉଭୟ ଦଳ ମଧ୍ୟରେ ପ୍ରାୟ ୫୦ରୁ ଅଧିକ ଆସନରେ ବ୍ୟବଧାନ ମାତ୍ର ୧୦୦୦ ଭୋଟ ରହୁଥିଲା । କିନ୍ତୁ ଗଣତିର ରାଉଣ୍ଡ ଶେଷ ହେବା ସହ ଚିତ୍ର ସ୍ପଷ୍ଟ ହେବାକୁ ଆସିଲ । ଲଗାତାର ଭାବେ ବିଜେଡି ଜିତିବା ସହ ଐତିହାସିକ ସଫଳତା ଲାଭ କରିଥିଲା । ଦଳ ଏବେ ସୁଧା ୧୦୫ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୨୭ ଏବଂ କଂଗ୍ରେସ ମାତ୍ର ୧୨ଟି ଆସନରେ ଆଗରେ ରହିଛନ୍ତି । ଏହାସହ ଅନ୍ୟ ଦଳ ଖାତାକୁ ୨ଟି ଆସନ ଯାଇଛି । ଇତି ମଧ୍ୟରେ ବିଜେଡି ୧୦ଟି ଆଶନ ଏବଂ ବିଜେପି ୩ଟି ଆସନରେ ବିଜୟ ଲାଭ କରିସାରିଛନ୍ତି ।
ଅନ୍ୟ ପଟେ ପ୍ରଥମ ଥର ଦୁଇଟି ସିଟରୁ ଲଢିଥିବା ନବୀନ ବିଜୟୀ ହେବାକୁ ଯାଉଛନ୍ତି। ସେ ହିଞ୍ଜିଳି ଓ ବିଜେପୁର ସିଟରୁ ବଡ଼ ବ୍ୟବଧାନରେ ବିଜୟୀ ଆଡକୁ ଅଗ୍ରସର ହେଉଛନ୍ତି। ଏହା ପୂର୍ବରୁ ନବୀନ ୨୦୦୦, ୨୦୦୪, ୨୦୦୯, ୨୦୧୪ ପରେ ୨୦୧୯ରେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ପଦରେ ଆସିନ ହେବାକୁ ଯାଉଛନ୍ତି। ଆସନ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ବିଜେଡି ସହଜରେ ସଂଖ୍ୟା ଗରିଷ୍ଠତା ହାସଲ କରି ପାରିଛି।