ଭୁବନେଶ୍ୱର, ୧୭/୧୧: ବିଧାୟକଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଣଓଡ଼ିଆ ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ ବିଧାନସଭା କ୍ଷମା ପ୍ରଦାନ କରିଛି। ବିଧାନସଭା ଗୃହ କମିଟିର ପ୍ରସ୍ତାବ ଆଧାରରେ ଅଭିଜିତଙ୍କୁ ବିଧାନସଭା କ୍ଷମା ଦେଇଥିବା କମିଟିର ଅଧ୍ୟକ୍ଷ ନିରସିଂହ ମିଶ୍ର ପ୍ରକାଶ କରିଛନ୍ତି। ଏ ନେଇ ବିଧାନସଭାରେ ଉପସ୍ଥାପିତ ମୋସନ ପାସ୍ ହେଇଥିବା ଜଣାପଡ଼ିଛି।
କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଥିଲେ, ଗୃହ କମିଟିରେ ଅଭିଜିତଙ୍କ ହାଜର ଦିନ ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ କମିଟି ସମ୍ମୁଖରେ ପଢାଯାଇଥିଲା। ସମସ୍ତ ଅଭିଯୋଗକୁ ସେ ମାନି ନେଇଥିଲେ। ଏଥିସହ ମାନ୍ୟବର ବାଚସ୍ପତି, ମୁଖ୍ୟମନ୍ତ୍ରୀ, ବିଧାୟକ ଓ ଓଡ଼ିଶାର ଜନସଧାରଣଙ୍କୁ ନିଃସର୍ତ୍ତ କ୍ଷମା ପ୍ରର୍ଥନା କରିଥିଲେ। ଅଭିଜିତ୍ ତାଙ୍କ ନିର୍ବଧୋତା ପାଇଁ କ୍ଷମା ମାଗିଥିବା କହିଥିଲେ। ଏହା ପରେ ତାଙ୍କ ଦୋଷ ସ୍ୱାକୀର କରିବାକୁ କମିଟି ତାଙ୍କୁ ସତ୍ୟପାଠ ଜରିଆରେ ଦାଖଲ କରିବାକୁ କହିଥିଲେ। ସତ୍ୟପାଠ ବା ଆଫିଡେବିଟ୍ ଦାଖଲ କରିବା ପରେ ଅଭିଜିତ ତାଙ୍କ ଦୋଷ ସ୍ୱାକୀର କରିବା ସହ ସ୍ୱଇଚ୍ଛାରେ କ୍ଷମା ମାଗୁଥିବା କମିଟି ଅନୁଭବ କରିଥିଲା। ଏହାସହ ଅଭିଜିତଙ୍କୁ କମିଟି ଟିପ୍ପଣି ଦେଇଥିଲେ, ଅଭିଜିତଙ୍କୁ ଓଡ଼ିଶା ବୁଲେଇଥିବା ବ୍ୟକ୍ତିଙ୍କୁ ଓଡ଼ିଶାର କଳା, ସଂସ୍କୃତି ବିଷୟରେ କିଛି ସୂଚନା ଦେବାର ଥିଲା। ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଜ୍ଞାନ ପାଇଁ ତାଙ୍କୁ ସମ୍ବଦ୍ଧିତ ପୁସ୍ତକ ପ୍ରଦାନ କରିବା ପାଇଁ କମିଟି ଟିପ୍ପଣୀ ଦେଇଥିବା ନରସିଂହ କହିଛନ୍ତି।