ଅଭିନେତା-ନିର୍ମାତା ଏଲିକ୍‌ ପଦମ୍‌ସୀଙ୍କ ପରଲୋକ

ମୁମ୍ବାଇ, ୧୭/୧୧: ଖ୍ୟାତନାମା ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ଏଲିକ୍‌ ପଦମ୍‌ସୀଙ୍କର ୯୦ ବର୍ଷ ବୟସରେ ଶନିବାର ନିଧନ ହୋଇଛି । ସର୍ଫ ପାଇଁ ଲଳିତାଜୀ, ଚେରି ବ୍ଲୋଜମ୍‌ ସୁ ପଲିସ୍‌ ପାଇଁ ଚେରି ଚାର୍ଲି, ଏମ୍‌ଆର୍‌ଏଫ୍ର ବାହୁବଳୀ, ଜଳପ୍ରପାତରେ ଲିରିଲ୍‌ ଗର୍ଲ, କାମସୂତ୍ର ଦମ୍ପତି, ହମାରା ବାଜାଜ୍‌, ଟିଭି ଗୁଇନ୍ଦା କରମcାନ୍ଦ୍‌, ଫେୟାର୍‌ ଆଣ୍ଡ୍‌ ହ୍ୟାଣ୍ଡ୍ସମ୍‌ ବ୍ରାଣ୍ଡ୍‌ ଆଦି ଅନେକ ଜନପ୍ରିୟ ବିଜ୍ଞାପନ ସେ ନିର୍ମାଣ କରିଥିଲେ । ଗୁଜରାଟର କଚ୍ଛ ଅଞ୍ଚଳରେ ପଦମ୍‌ସୀ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମୁମ୍ବାଇର ସେଣ୍ଟ୍‌ ଜାଭିୟର୍ସ କଲେଜରୁ ପଦମ୍‌ସୀ ନିଜର ଶିକ୍ଷା ସମାପନ କରିଥିଲେ । ପଦମ୍‌ସୀ ମଞ୍ଚରେ ଚମତ୍କାର ଅଭିନୟ କରୁଥିଲେ । ସାତ ବର୍ଷ ବୟସରେ ତାଙ୍କ ଭାଇ ବବି ପଦମସୀଙ୍କ ନିର୍ଦେଶନାରେ ଉଇଲିୟମ୍‌ ସେକ୍ସପିୟଙ୍ର୍କ ରଚିତ ନାଟକ ‘ମର୍ଚାଣ୍ଟ୍‌ ଅଫ୍‌ ଭେନିସ୍‌’ରେ ସେ ପ୍ରଥମେ ଅଭିନୟ କରିଥିଲେ । ‘ଇଭିଟା’, ‘ଜେସସ୍‌ କ୍ରାଏଷ୍ଟ୍‌ ସୁପରଷ୍ଟାର୍‌’, ‘ତୁଗ୍ଲକ୍‌’ ଏବଂ ‘ବ୍ରୋକେନ୍‌ ଇମେଜ୍‌’ ଆଦି ବ୍ୟୟବହୁଳ ନାଟକ ସେ ନିର୍ଦେଶନା ଦେଇଥିଲେ । ସାର୍‌ ରିଚାର୍ଡ ଆଟେନ୍ୱରୋଙ୍କ ପ୍ରଖ୍ୟାତ ‘ଗାନ୍ଧୀ’ ଚଳଚ୍ଚିତ୍ରରେ ସେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଭୂମିକାରେ ଉଚ୍ଚକୋଟୀର ଅଭିନୟ କରି ଢ଼େର୍‌ ପ୍ରଶଂସା ସାଉଁଟିଥିଲେ ।