ଅଯୋଧ୍ୟା ରାମ ଜନ୍ମଭୂମି ରାୟ ପୂର୍ବରୁ ପ୍ରସ୍ତୁତି, ସମସ୍ତ ପୋଲିସ ଅଧିକାରୀଙ୍କ ଛୁଟି ବାତିଲ

ଉତ୍ତର ପ୍ରଦେଶ,୧୬/୧୦: ଆଜି ରାମ ଜନ୍ମଭୂମି ଅଯୋଧ୍ୟା ମାମଲାର ସର୍ବୋଚ୍ଚ ଅଦାଲତରେ ଅନ୍ତିମ ଶୁଣାଣୀ ଚାଲିଛି । ଯେପର୍ଯ୍ୟନ୍ତ ଶୁଣାଣୀ ଶେଷ ହୋଇ ନାହିଁ ସେ ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ରୋକ୍‌ ଠୋକ୍‌ ଶୁଣାଇ ଦେଇଛନ୍ତି । ଯାହା ଆଶା କରାଯାଉଛି ଆଜି ରାୟ ପ୍ରକାଶ ପାଇବ ନାହିଁ । ଠିକ୍‌ ଏହି ସମୟରେ ଉତ୍ତର ପ୍ରଦେଶ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ନଭେମ୍ବର ୩୦ ତାରିଖ ଯାଏଁ ପୋଲିସ ପ୍ରଶାସନର ସମସ୍ତ ଅଧିକାରୀଙ୍କ ଛୁଟିକୁ ବାତିଲ କରିଛନ୍ତି ।

ଆଗକୁ ବିଭିନ୍ନ ପର୍ବପର୍ବାଣୀ ଆସୁଥିବାରୁ ସମସ୍ତ ପୋଲିସ ଅଧିକାରୀଙ୍କ ଛୁଟିକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ନଭେମ୍ବର ୩୦ ଯାଏଁ କେହି ଛୁଟି ନେଇ ପାରିବେ ନାହିଁ । ସମସ୍ତେ ପୋଲିସ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ ନାମା ଜାରି ହୋଇଛି । ଅଯୋଧ୍ୟା ମାମଲାର ରାୟ ପାଇଁ ରାଜ୍ୟ ସରକାର ଏ ପଦକ୍ଷେପ ନେଇଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହା ପୂର୍ବରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଡିଜିପି ଗୋରଖପୁର, ପ୍ରୟାଗରାଜ ଏବଂ ବାରଣାସୀ ଜୋନ୍‌ର ଏଡିଜିଙ୍କୁ ପତ୍ର ଲେଖି ଏସ୍‌ପିଙ୍କଠାରୁ ଆରମ୍ଭ କରି ସିପାହୀ ଦେବାକୁ କହିଛନ୍ତି ।

ସେହିପରି ପିଏସିର ଜଣେ ଏସ୍‌ପି, ୪ ବରିଷ୍ଠ ଏସ୍‌ପି ଏବଂ ୬ ଜଣ ଏଏସ୍‌ପିଙ୍କୁ ମଙ୍ଗଳବାର ଅଯୋଧ୍ୟା ପଠାଯାଇଛି । ଏହା ସହିତ ୩୦ ଇନ୍‌ସ୍ପେକ୍ଟର. ୫୦ ଏସ୍‌ଆଇ, ୧୦ ମହିଳା ଏସ୍‌ଆଇ, ୫୦ ମୁଖ୍ୟ ପୋଲିସ ଅଧିକାରୀ ଏବଂ ୨୦୦ ପୋଲିସ ଏବଂ ୧୦୦ ଆଇଆଇସିଙ୍କୁ ଅଯୋଧ୍ୟାରେ ନିୟୋଜିତ କରାଯାଇଛି । ସେହିପରି ପ୍ରୟାଗରାଜ, ଗୋରଖପୁର ଓ ବାରଣାସୀରେ ମଧ୍ୟ ବିପୁଳ ପରିମାଣରେ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି ।