ଆର୍ଚି ସିଲର ନାମକ ୭ ବର୍ଷର ବାଳକ ଅଷ୍ଟ୍ରେଲିଆ ୧୫ ଜଣିଆ ଟେଷ୍ଟ ଦଳରେ ସାମିଲ ହୋଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ପ୍ରକୃତ କଥା ହେଉଛି ମେଲବର୍ନରେ ବୁଧବାରଠାରୁ ଖେଳାଯିବାକୁ ଥିବା ଭାରତ ବିପକ୍ଷ ତୃତୀୟ ତଥା ବକ୍ସିଂ ଡେ’ ଟେଷ୍ଟରେ ସିଲରଙ୍କୁ ପଞ୍ଚଦଶ ଖେଳାଳି ଭାବେ ନିଆଯାଇଛି । ମେକ୍ ୱିସ୍ ଅଷ୍ଟ୍ରେଲିଆ ଫାଉଣ୍ଡେସନ୍ ପ୍ରୟାସରେ ସିଲରଙ୍କୁ ଏଭଳି ସୁଯୋଗ ମିଳିଛି । ୩ ମାସ ବୟସରୁ ହୃତପିଣ୍ଡ ସମସ୍ୟା ଥିବା ଆର୍ଚି କ୍ରିକେଟର ଜଣେ ବଡ଼ ପ୍ରଶଂସକ । ତାଙ୍କର ଲେଗ୍ସ୍ପିନ୍ ଦକ୍ଷତା ଥିଲେ ହେଁ ଏବଂ ନିଜେ ମଧ୍ୟ ଲେଗ୍ ସ୍ପିନ୍ କରିଥାନ୍ତି । କି;ୁ ନିୟମିତ ସ୍କୁଲ୍ ଯାଇପାରୁନଥିବାରୁ ସେ ମୁକ୍ତରେ ଖେଳିପାରନ୍ତି ନାହିଁ କି ସାଥୀଙ୍କ ସହ ମିଶି ପାରିନ୍ତି ନାହିଁ । ଆର୍ଚିଙ୍କୁ ଆତ୍ମବିଶ୍ୱାସ ଯୋଗାଇବା ଏବଂ ସମର୍ଥନ ଦେବା ଲକ୍ଷ୍ୟରେ ତାଙ୍କ ପସନ୍ଦରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳରେ ସାମିଲର ସୁଯୋଗ ମିଳିଛି । ସେ ଦିନେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଅଧିନାୟକ ହେବାକୁ ଚାହାଁନ୍ତି ବୋଲି ମତ ଦେଇଥିବାରୁ ବର୍ତ୍ତମାନର ଅଧିନାୟକ ଟିମ୍ ପେନ୍ ମଧ୍ୟ ତାଙ୍କୁ ସହଯୋଗୀ ଅଧିନାୟକ ଭାବେ ଘୋଷଣା କରିଛନ୍ତି । ୟାରା ପାର୍କଠାରେ ଏକ ପାରିବାରିକ ଉତ୍ସବରେ ପେନ୍ ଏଭଳି ଘୋଷଣା କରିଛନ୍ତି । ବିରାଟ କୋହଲିଙ୍କ ୱିକେଟ୍ ନେବା ମଧ୍ୟ ତାଙ୍କ ଅନ୍ୟତମ ଅଭିଳାଷ ରହିଛି । ବାସ୍ତବରେ ମାସକ ତଳେ ଅଷ୍ଟ୍ରେଲିଆ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର ଟେଲିଫୋନ୍ କରି ଆର୍ଚିଙ୍କୁ ଏଭଳି ସୂଚନା ଦେଇଥିଲେ ଏବଂ ସାଧାରଣରେ ଏହି ଖବର ପଦାକୁ ଆସିଥିଲା । ଆର୍ଚି ଅଧିକାଂଶ ସମୟ ଡାକ୍ତରଖାନା ଶଯ୍ୟାରେ କଟାଉଛି, ତା ମୁହଁରେ ସହ ଫୁଟାଇବା ପାଇଁ ଏଭଳି ପ୍ରୟାସ କରାଯାଇଛି ।
