ଆଇପିଏଲର ଚତୁର୍ଥ ମ୍ୟାଚରେ ପଞ୍ଜାବର ପ୍ରଥମ ବିଜୟ

0

ଜୟପୁର,୨୬/୩: ସୱାଇ ମାନସିଂହ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଆଇପିଏଲର ଚତୁର୍ଥ ମ୍ୟାଚରେ କିଙ୍ଗସ ଇଲେଭେନ ପଞ୍ଜାବ ୧୪ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଜୟପୁରରେ ପଞ୍ଜାବର ଏହା ପ୍ରଥମ ବିଜୟ। ଉକ୍ତ ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୮୪ ରନ୍ କରିଥିଲା। ଦଳ ପକ୍ଷରୁ କ୍ରିସ ଗେଲ୍ ସର୍ବାଧିକ ୭୯ (୪୭ ବଲ, ୮ ଚୌକା, ୪ ଛକା) ଓ ସର୍ଫରାଜ ଖାନ ୪୯ (୨୯ ବଲ, ୬ ଚୌକା, ୧ ଛକା) ରନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲ ୨୨, ନିକୋଲାସ ପୂରାନ ୧୨ ଓ ଲୋକେଶ ରାହୁଲ୍ ୪ ରନ୍ କରି ଆଉଟ ହୋଇଥିଲେ। ରାଜସ୍ଥାନ ପକ୍ଷରୁ ବେନ ଷ୍ଟୋକ୍ସ ୨ଟି, ଧୱଲ କୁଲକର୍ଣ୍ଣି ଓ କ୍ରିଷ୍ଣାପ୍ପା ଗୌତମ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ଜବାବରେ ରାଜସ୍ଥାନ ୨୦ ଓଭରରେ ୯ ୱିକେଟ ହରାଇ ୧୭୦ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ଏକ ସମୟରେ ୨ ୱିକେଟ ହରାଇ ୧୪୮ ରନ କରି ମଜଭୁତ ସ୍ଥିତିରେ ଥିଲା। କିନ୍ତୁ ଲଗାତାର ୱିକେଟ ପତନ ଯୋଗୁ ଘରୋଇ ଦଳ ୧୪ ରନ ପାଇଁ ବିଜୟରୁ ବଞ୍ଚିତ ହୋଇଥିଲା।

ଦଳ ପକ୍ଷରୁ ଜୋସ ବଟଲର ସର୍ବାଧିକ ୬୯ (୪୩ ବଲ, ୧୦ ଚୌକା, ୨ ଛକା) ରନ କରିଥିବା ବେଳେ ଅଧିନାୟକ ଆଜିଙ୍କ୍ୟ ରାହାଣେ (୨୭), ସଞ୍ଜୁ ସାମସନ (୩୦), ଷ୍ଟିଭେନ ସ୍ମିଥ (୨୦), ଷ୍ଟୋକ୍ସ (୬), ରାହୁଲ ତ୍ରିପାଠୀ (୧) ଓ ଗୌତମ (୩) ନିରାଶ କରିଥିଲେ। ପଞ୍ଜାବ ପକ୍ଷରୁ ସାମ କୁରାନ, ମୁଜୀବ ଉର ରେହମାନ ଓ ଅଙ୍କିତ ରାଜପୁତ ୨ଟି ଲେଖାଏ ୱିକେଟ ନେଇଥିଲେ। ମ୍ୟାଚ ବିଜୟୀ ଇନିଂସ ପାଇଁ ଗେଲ୍ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା।

Leave A Reply

Your email address will not be published.