ନୂଆଦିଲ୍ଲୀ,୧୬/୫: ଆଇସିସି ବିଶ୍ୱକପ୍ର ଦ୍ୱାଦଶ ସଂସ୍କରଣ ଆସନ୍ତା ୩୦ରୁ ୟୁନାଇଟେଡ୍ କିଙ୍ଗ୍ଡମ (ୟୁକେ)ରେ ଆରମ୍ଭ ହେବାକୁ ଯାଉଛି। କ୍ରିକେଟର ଏହି ମହାକୁମ୍ଭକୁ ଉପଭୋଗ କରିବା ଲାଗି ଦିନକୁ ପାଖାପାଖି ୩୫୦୦ ଭାରତୀୟ ନାଗରିକ ୟୁକେ ଭିଜା ପାଇଁ ଆବେଦନ କରୁଛନ୍ତି। ଅନ୍ୟ ସମୟ ଅପେକ୍ଷା ଭିଜା ଆବେଦନ ହାର ଅଧିକ ରହିଛି ବୋଲି ବ୍ରିଟିଶ ହାଇ କମିଶନର (ବିଏଚ୍ସି) କହିଛନ୍ତି। ସେହିଭଳି ଏହି ସମରରେ ୮୦ ହଜାର ଭାରତୀୟ ୟୁକେ ଗସ୍ତରେ ଆସିବେ ବୋଲି କମିଶନର ଆଶାପ୍ରକାଶ କରିଛନ୍ତି। ‘ଭାରତରେ ଖେଳପ୍ରତି ଭଲପାଇବା, ଭାରତ-ୟୁକେ ମଧ୍ୟରେ ବିମାନ ଚଳାଚଳ ବ୍ୟବସ୍ଥା ଓ ମାର୍କେଟ୍ ଦୃଷ୍ଟିରୁ ଆଇସିସି ବିଶ୍ୱକପ୍ ଲାଗି ଭାରତରୁ ସର୍ବାଧିକ ଦର୍ଶକ ୟୁକେ ଗସ୍ତରେ ଆସିବାର ବହୁତ ଅଧିକ ସମ୍ଭାବନା ରହିଛି’ ବୋଲି ବ୍ରିଟିଶ ହାଇକମିଶନର ଏକ ଜାତୀୟ ଖବରକାଗଜକୁ ସାକ୍ଷାତକାର ଅବସରରେ କହିଛନ୍ତି। ‘କ୍ରିକେଟ୍ ବିଶ୍ୱକପ୍ ଲାଗି ଅନ୍ୟସିଜନ ଅପେକ୍ଷା ଚଳିତ ବର୍ଷ ଅଧିକ ଭିଜା ଆବେଦନ ହୋଇଛି। ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ଆମର ଭିଜା ପ୍ରଦାନକାରୀ ସଂସ୍ଥା (ଭିଏଫ୍ଏସ୍ ଗ୍ଲୋବାଲ) ନିକଟରେ ଭାରତୀୟ ଭିଜା ଆବେଦନକାରୀ ସଂଖ୍ୟା ୨ ଲକ୍ଷ ଟପି ସାରିଲାଣି। କେବଳ ମାର୍ଚ୍ଚ ଓ ଏପ୍ରିଲରେ ୧ ଲକ୍ଷ ୩୨ ହଜାର ଭାରତୀୟ ଭିଏସ୍ଏସ୍ ଗ୍ଲୋବାଲ ନିକଟରେ ଭିଜା ଆବେଦନ କରିଛନ୍ତି’ ବୋଲି ବ୍ରିଟିଶ ହାଇକମିଶନରଙ୍କ ମୁଖପାତ୍ର କହିଛନ୍ତି।