ନୂଆଦିଲ୍ଲୀ,୪/୨ : ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ୪-୧ରେ ଜିତିଥିବା ଭାରତ ଆଇସିସି ଦ୍ଵାରା ଜାରି ସଦ୍ୟତମ ଦିନିକିଆ ମ୍ୟାନତାର ଦ୍ଵିତୀୟ ସ୍ଥାନରେ ରହିଛି। ଏହା ସହିତ ଅଧିନାୟକ ବିରାଟ କୋହଲି ଦୁନିଆର ଏକ ନମ୍ବର ବ୍ୟାଟସମ୍ୟାନ ଭାବେ ନିଜର ସ୍ଥାନ ସୁରକ୍ଷିତ ରଖିଛନ୍ତି। ବୋଲିଂ ମାନ୍ୟତାରେ ଯଶପ୍ରୀତ ବୁମରା ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି। ଆଇସିସି ସୋମବାର ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି।
ଭାରତ ୧୨୨ ପଏଣ୍ଟ ସହିତ ଦ୍ଵିତୀୟ ସ୍ଥାନରେ ରହିଛି। ଭାରତ ସିରିଜ୍ ଜିତିବା ପରେ ଗୋଟିଏ ରେଣ୍ଟିଂ ପଏଣ୍ଟ ହାସଲ କରିଛି। ଭାରତ ନିକଟରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଜିତିଛି। ଦିନିକିଆ ଦଳ ମାନ୍ୟତାରେ ୧୨୬ ପଏଣ୍ଟ ସହିତ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଛି।
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ମଧ୍ୟ ତିନୋଟି ସ୍ଥାନ ଫାଇଦା ମିଳିଛି। ସେ ବ୍ୟାଟିଂ ମାନ୍ୟତାରେ ସେ ୧୭ମ ସ୍ଥାନରେ ପହଞ୍ଚିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ କ୍ରମାଗତ ତିନୋଟି ଅର୍ଦ୍ଧଶତକ ହାସଲ କରିଛନ୍ତି।
ଅନ୍ୟ ପଟେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧୨ଟି ଓ୍ଵିକେଟ୍ ନେଇଛନ୍ତି। ଏହି ପ୍ରଦର୍ଶନ ବଳରେ ସେ ବୋଲିଂ ମାନ୍ୟତାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ସ୍ଥାନ ଫାଇଦା ମିଳିଛି। ସେ ତାଲିକାର ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ଭୁବନେଶ୍ଵର କୁମାର ଛଅଟି ସ୍ଥାନ ଉପରକୁ ଉଠି ୧୭ମ ସ୍ଥାନରେ ପହଞ୍ଚିଛନ୍ତି।