ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାରାଣସୀ ଗସ୍ତ

0

ନୂଆଦିଲ୍ଲୀ,୨୭/୫: ଲୋକସଭା ନିର୍ବାଚନରେ ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନିଜର ସଂସଦୀୟ କ୍ଷେତ୍ର ବାରାଣସୀ ଗସ୍ତ କରୁଛନ୍ତି । ମୋଦୀ ବାରାଣସୀରେ ପୂର୍ବାହ୍ଣ ୯ଟାରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ସେ କାଶୀବାସୀଙ୍କୁ ବିଜୟ ପାଇଁ ଧନ୍ୟବାଦ ଜଣାଇବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଉପସ୍ଥିତ ରହିବେ । ନରେନ୍ଦ୍ର ମୋଦୀଙ୍କୁ ବାରାଣସୀ ସଂସଦୀୟ କ୍ଷେତ୍ରର ଲୋକେ ବିଜୟର ମୁକୁଟ ପିନ୍ଧାଇଛନ୍ତି ।

ବାରାଣସୀ ଗସ୍ତ କରିବା ପୂର୍ବରୁ ମୋଦୀ ରିବବାର ନିଜର ଗୃହରାଜ୍ୟ ଗୁଜୁରାଟ ଗସ୍ତ କରିଛନ୍ତି । ଅହମଦାବାଦରେ ଏକ ଜନସଭାକୁ ସମ୍ବୋଧିତ କରିବା ପରେ ମା’ ହୀରାବେନଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି । ମୋଦୀ ଗାନ୍ଧୀନଗରସ୍ଥିତ ନିଜର ନିବାସରେ ମା’ଙ୍କୁ ଭେଟିଛନ୍ତି । ମା’ଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି । ମା’ ହୀରାବେନ ମୁଣ୍ଡରେ ହାତ ରଖି ମୋଦୀଙ୍କୁ ଆଶୀର୍ବାଦ କରିଛନ୍ତି ।

୨୦୧୯ରେ ବାରାଣସୀ ଲୋକସଭା ଆସନର ବିବରଣୀ – ନରେନ୍ଦ୍ର ମୋଦୀ (ବିଜେପି): ୬,୭୪,୬୬୪ ଖଣ୍ଡ ଭୋଟ, ଶାଳିନୀ ଯାଦବ (ସମାଜବାଦୀ ପାର୍ଟି): ୧,୯୫,୧୫୯ ଖଣ୍ଡ ଭୋଟ,ଅଜୟ ରାୟ (କଗ୍ରେସ): ୧,୫୨,୫୪୮ ଖଣ୍ଡ ଭୋଟ ,ସୁରେନ୍ଦ୍ର (ଏସବିଏସପି): ୮,୮୯୨ ଖଣ୍ଡ ଭୋଟ,ଅନିଲ କୁମାର ଚୌରାସିଆ (ଜେକେପି): ୨,୭୫୮ ଖଣ୍ଡ ଭୋଟ

ମୋଦୀ ବାରାଣସୀ ଯାଇ କାଶୀ ବିଶ୍ୱନାଥଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ସେ ଭଗବାନ ଶିବଙ୍କ ଠାରୁ ଆଶୀର୍ବାଦ ନେଇ ଦ୍ୱିତୀୟ ଥର ଭାରତର କ୍ଷମତା ଗ୍ରହଣ କରିବେ । ତାଙ୍କ ବିଜୟରେ କାଶୀବାସୀଙ୍କ ଆଶୀର୍ବାଦ ରହିଛି ଏବଂ ସେଥିପାଇଁ ସେ ଶପଥ ଗ୍ରହଣ କରିବା ପୂର୍ବରୁ ସାଧାରଣ ଜନତାଙ୍କୁ ଭେଟିବେ ବୋଲି ସୂତ୍ର କହୁଛି । କାଶୀ ଗସ୍ତରେ ବାବା ବିଶ୍ୱନାଥଙ୍କୁ ମୋଦୀ ପୁପ୍ପାଭିଷେକ କରିବେ, ଯେଭଳି ଭାବରେ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜୟ ପରେ ଭଗବାନ ଶଙ୍କରଙ୍କୁ ଆରାଧନା କରିଥିଲେ । ନମୋଙ୍କ ବିଜୟ ରଥ ସହରର ପାଖାପାଖି ୩୦ କିଲୋମିଟର ଦୌଡ଼ିବ ବୋଲି ଜଣାପଡ଼ିଛି । ବାରାଣସୀ ପହଂଚିବା ପରେ ମୋଦୀ ସଡ଼କ ମାର୍ଗରେ ପୋଲିସ ଲାଇନରୁ ବାସଫାଟକ ପର୍ଯ୍ୟନ୍ତ ଯିବେ । ତାଙ୍କର ଗାଡ଼ି ସହରର ବିଭିନ୍ନ ସ୍ଥାନକୁ ଯିବ ।

Leave A Reply

Your email address will not be published.