ଆଡ଼ିଲେଡ଼ ଟେଷ୍ଟରେ ଭାରତର ସ୍ଥିତି ମଜବୁତ

0

ଆଡ଼ିଲେଡ଼,୮/୧୨: ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଆଡିଲେଡ ଟେଷ୍ଟର ଦ୍ଵିତୀୟ ଦିନରେ ଭାରତର ସ୍ଥିତି ମଜବୁତ ରହିଛି। ଭାରତ ପ୍ରଥମ ଇନିଂସରେ ୨୫୦ ରନରେ ଅଲଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୭ ଓ୍ଵିକେଟ୍ ହରାଇ ୧୯୧ ରନ କରିଛି। ଅଷ୍ଟ୍ରେଲିଆ ଏ ପର୍ଯ୍ୟନ୍ତ ଭରାତଠୁ ୫୯ ରନରେ ପଛୁଆ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେଭିସ୍ ହେଡ ସର୍ବାଧିକ ୬୧ ରନ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ତିନୋଟି ସଫଳତା ପାଇଥିବା ବେଳେ ଇଶାନ୍ତ ଶର୍ମା ଓ ଯଶପ୍ରୀତ ବୁମରା ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ପ୍ରଥମ ଦିନର ଅସମାପ୍ତ ୨୫୦/୯ରୁ ଭାରତ ଖେଳ ଆରମ୍ଭ କରିଥିଲା। ମାତ୍ର ଦ୍ଵିତୀୟ ଦିନରେ ପ୍ରଥମ ଓଭରର ପ୍ରଥମ ବଲରେ ଭାରତର ପ୍ରଥମ ଇନିଂସ ସମାପ୍ତ ହୋଇଥିଲା। ଜୋଶ ହେଜେଲଉଡ ମହମ୍ମଦ ସାମିଙ୍କୁ ଆଉଟ୍ କରି ଭାରତୀୟ ଇନିଂସର ସମାପ୍ତ ଘଟାଇଥିଲେ। ଭାରତ ପକ୍ଷରୁ ଚେତେଶ୍ଵର ପୂଜାରା ସର୍ବାଧିକ ୧୨୩ ରନର ପ୍ରଶଂସନୀୟ ପାଳି ଖେଳିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ହେଜେଲଉଡ ତିନୋଟି ଓ୍ଵିକେଟ୍ ନେଇଥିବା ବେଳେ ମିସେଲ ଷ୍ଟାର୍କ, ପାଟ କମିନ୍ସ ଓ ନାଥନ ଲାୟନ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ଭାରତ ପରି ଅଷ୍ଟ୍ରେଲିଆର ପ୍ରାରମ୍ଭ ଭଲନଥିଲା। ଦିନର ପ୍ରଥମ ଓଭରରେ ହିଁ ଇଶାନ୍ତ ଶର୍ମା ଆରୋନ ଫିଞ୍ଚଙ୍କୁ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳ ଦେଇଥିଲେ। ଏହା ପରେ ମାର୍କସ ହ୍ୟାରିସ ଓ ଉସମାନ ଖ୍ଵାଜା ଅଷ୍ଟ୍ରେଲିଆ ପାଳିକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଉଭୟ ବ୍ୟାଟସମ୍ୟାନ ଅର୍ଦ୍ଧଶତକୀୟ ଭାଗିଦାରୀ ଆଡ଼କୁ ବଢୁଥିଲେ।

ମାତ୍ର ୪୫ ରନ ସ୍କୋରରେ କଙ୍ଗାରୁ ଦଳକୁ ଦ୍ଵିତୀୟ ଝଟକା ଲାଗିଥିଲା। ଅଶ୍ଵିନ ହ୍ୟାରିସଙ୍କୁ ଆଉଟ୍ କରିଥିଲେ। ହ୍ୟାରିସ ୨୬ ରନ ଆଉଟ୍ ହେବା ପୂର୍ବରୁ ଖ୍ଵାଜାଙ୍କ ସହିତ ୨ୟ ଓ୍ଵିକେଟରେ ୪୫ ରନ ଯୋଡିଥିଲେ। ଏହା ପରେ ଷ୍ଟିଭ ସ୍ମିଥ୍ ଓ ଡେଭିଡ ଓ୍ଵାର୍ଣ୍ଣରଙ୍କ ଅନୁପସ୍ଥିତିରେ ଦଳର ସବୁଠୁ ଅଭିଜ୍ଞମ ଖେଳାଳି ସନ ମାର୍ଶ ଅଶ୍ଵିନଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ସେ ୨ ରନ କରି ବିଦାୟ ନେଇଥିଲେ।

ଏହା ପରେ କ୍ରିଜରେ ଜମି ଆସିଥିବା ଖ୍ଵାଜାଙ୍କୁ ଆଉଟ୍ କରି ଭାରତକୁ ବହୁତ ବଡ଼ ସଫଳତା ଦେଇଥିଲେ। ଖ୍ଵାଜା ୧୨୫ ଲରୁ ୨୮ ରନ କରି ପାଭିଲିୟନ ଫେରିଥିଲେ। ୮୭ ରନ ସ୍କୋରରେ ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍ ହରାଇଥିଲା। ଏହି କ୍ରମରେ ୧୨୦ ରନ ସ୍କୋରରେ ଭାରତକୁ ପଞ୍ଚମ ସଫଳତା ଦେଇଥିଲେ ଯଶପ୍ରୀତ ବୁମରା। ସେ କ୍ରିଜରେ ଜମି ଆସୁଥିବା ପିଟର ହ୍ୟାଣ୍ଡସ୍କମ୍ବଙ୍କୁ ଆଉଟ୍ କରିଥିଲେ। ଏହି ପରି ୧୨୦ ରନରେ ଅଷ୍ଟ୍ରେଲିଆ ଅଧା ଓ୍ଵିକେଟ୍ ହରାଇଥିଲା।ପିଟର ୩୪ ରନର ଉପଯୋଗୀ ପାଳି ଖେଳି ପାଭିଲିୟନ ଫେରିଥିଲେ।

ଏହା ପରେ କ୍ରିଜକୁ ଆସିଥିବା ଅଧିନାୟକ ଟିମ୍ ପେନ ଅଧିକ ସମୟ ତିଷ୍ଠି ପାରିନଥିଲେ। ସେ ୧୨୭ ରନ ସ୍କୋରରେ ଇଶାନ୍ତ ଶର୍ମାଙ୍କ ଶିକାର ହୋଇଥିଲେ। ଅନ୍ୟ ପଟେ କ୍ରିଜରେ ଜମି ରହିଥିବା ଟ୍ରେଭିସ୍ ହେଡ ପାଟ କମିନ୍ସଙ୍କ ସହିତ ସପ୍ତମ ଓ୍ଵିକେଟରେ ୫୦ ରନ ଯୋଡ଼ି ଦଳର ସ୍ଥିତିରେ କିଛିଟା ସୁଧାର ଆଣିଥିଲେ। ମାତ୍ର ବ୍ୟକ୍ତିଗତ ୧୦ ରନ ସ୍କୋରରେ ପାଟ କମିନ୍ସ ଦିନର ଶେଷ ଖେଳାଳି ଭାବେ ବୁମରାଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍ ହରାଇ ୧୯୧ ରନ କରିଛି। କ୍ରିଜରେ ଟ୍ରେଭିସ୍ ହେଡ ୬୧ ଓ ମିଚେଲ ଷ୍ଟାର୍କ ୮ ରନ କରି ଅପରାଜିତ ଅଛନ୍ତି।

Leave A Reply

Your email address will not be published.