ଆମେରିକାରେ ୨୪ ଘଣ୍ଟାରେ ରେକର୍ଡ ମୃତ୍ୟୁ ୩୧୭୬, ମୃତକ ସଂଖ୍ୟା ୫୦ ହଜାର ନିକଟତର

ୱାଶିଂଟନ,୨୪/୪: ଯୁକ୍ତରାଷ୍ଟ୍ର ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ ମୃତ୍ୟୁର ନୂତନ ରେକର୍ଡ ସୃଷ୍ଟି ହୋଇଛି । ଜନ ହପିକିନ୍ସ ବିଶ୍ୱବିଦ୍ୟାଳୟର ତରଫରୁ କୁହାଯାଇଛି ଯେ, ୨୪ ଘଣ୍ଟା ମଧ୍ୟରେ ୩ ହଜାର ୧୭୬ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ମୃତ୍ୟୁ ସଂଖ୍ୟା ୫୦ ହଜାର ନିକଟତର ହୋଇଛି ।
ଆମେରିକାରେ ଶୁକ୍ରବାର ସକାଳ ୭ଟା ପର୍ଯ୍ୟନ୍ତ ୮ ଲକ୍ଷ ୮୦ ହଜାର ୨୦୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏଥିରୁ ୪୯ ହଜାର ୮୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୫ ହଜାର ୯୨୨ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ବିଭିନ୍ନ ହସ୍ପିଟାଲରେ ୭ ଲକ୍ଷ ୪୪ ହଜାର ୪୩୭ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି । ସେମାନଙ୍କ ମଧ୍ୟରୁ ୧୪ ହଜାର ୯୯୭ ଜଣ ଗୁରୁତର ଅଛନ୍ତି ।

ସୂଚନାଯୋଗ୍ୟ, ସମଗ୍ର ବିଶ୍ୱରେ ଏବେ ୨୭ ଲକ୍ଷ ୧୮ ହଜାର ୧୩୯ ଜଣ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏଥିରୁ ମୃତକଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୯୦ ହଜାର ୬୩୫ ଜଣ । ୭ ଲକ୍ଷ ୪୫ ହଜାର ୫୦୦ ଜଣ ସୁସ୍ଥ ହୋଇଥିବା ବେଳେ ୫୮ ହଜାର ୬୭୯ ଜଣଙ୍କ ଅବସ୍ଥା ଗୁରୁତର ଅଛି । ସ୍ପେନ, ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ ଓ ତୁର୍କୀରେ ସ୍ଥିତି ଖରାପ ରହିଛି । ଭାରତ ପୂର୍ବରୁ କରୋନା ସଂକ୍ରମିତ ତାଲିକାରେ ୧୭ ନମ୍ବର ସ୍ଥାନରେ ଥିବା ବେଳେ ଏବେ ୧୬ରେ ପହଞ୍ଚିଛି ।