ୱାଶିଂଟନ, ୬/୧୨ : ଜାପାନ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ୨ ଟି ଆମେରିକୀୟ ଯୁଦ୍ଧ ବିମାନ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଆମେରିକା ନୌସେନାର ୬ ଜଣ ସଦସ୍ୟ ନିଖୋଜ ଥିବା ସୂଚନା ମିଳିଛି । ମଝି ଆକାଶରେ ଇନ୍ଧନ ଭରିବାର ଅଭ୍ୟାସ କରୁଥିବାଉ ସମୟରେ କୌଣସି ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଆମେରିକା ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି । ମେରାଇନ କର୍ପୋରେଶନର ଦୁଇଟି ବିମାନ ଏଫ-୧୮ ଲଢାକୁ ବିମାନ ଏବଂ ସି-୧୩୦ ଟ୍ୟାଙ୍କର ଦକ୍ଷିଣ ଜାପାନର ଇଭାକୁନୀସ୍ଥିତ ମେରାଇନ କର୍ପୋରେଶନ ଏୟାର ଷ୍ଟେସନରୁ ଉଡାଣ ଭରିବା ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାଟି ଜାପାନର ସମୁଦ୍ରତଟଠାରୁ ପାଖାପାଖି ୨୦୦ ମାଇଲ ଦୂରରେ ରାତି ୨ ଟା ସମୟରେ ଘଟିଥିଲା । ୨ଟି ବିମାନରେ ୭ ଜଣ ନୌବାହୀ ସଦସ୍ୟ ଉପସ୍ଥଥିବା ବେଳେ ଏବେ ସୁଦ୍ଧା କେବଳ ଜଣେ ଉଦ୍ଧାର ହୋଇପାରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରୀ ରହିଥିବା ଆମେରିକା ଏବଂ ଜାପାନୀ ଅଧିକାରୀମାନେ ସୁଚନା ଦେଇଛନ୍ତି । କିଛି କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଉଥିବା ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବୟାନରେ କୁହାଯାଇଛି ।