ଗୃହକ୍ରେତାଙ୍କ ୩ ହଜାର କୋଟି ଟଙ୍କା ଆତ୍ମସାତ୍ କରାଯିବା ଯୋଗୁ ରିୟଲ୍ ଇଷ୍ଟେଟ୍ କମ୍ପାନୀ ଆମ୍ରପାଲୀ ଗ୍ରୁପ୍ ଡୁବିଛି ବୋଲି ଫରେନ୍ସିକ୍ ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି । ସୁପ୍ରିମ୍କୋର୍ଟ ୭ ମାସ ପୂର୍ବେ ଅଡିଟ୍ ଆଦେଶ ଦେଇଥିଲେ । ଅଡିଟର ରବି ଭାଟିଆ ଓ ପବନ ଅଗ୍ରୱାଲ ସୁପ୍ରିମ୍କୋର୍ଟରେ ଦାଖଲ କରିଥିବା ୨୦୦୦ ପୃଷ୍ଠାର ରିପୋର୍ଟରୁ ଏହି ତଥ୍ୟ ମିଳିଛି । ଅଡିଟରମାନେ ଦର୍ଶାଇଛନ୍ତି ହୋମ୍ ବାୟରମାନଙ୍କ ଟଙ୍କା ଚଳୁ କରିବା ପାଇଁ ଆମ୍ରପାଲୀ ଗ୍ରୁପ୍ ପକ୍ଷରୁ ୧୦୦ରୁ ଅଧିକ ନକଲି କମ୍ପାନୀ ଗଠନ କରାଯାଇଥିଲା । କମ୍ପାନୀର ଅନେକ ଅଫିସର, ଏପରିକି ଚପରାଶି ନାମରେ ନକଲି କମ୍ପାନୀ ଖୋଲାଯାଇଥିଲା । ଏହି ବ୍ୟକ୍ତିମାନଙ୍କୁ ନକଲି କମ୍ପାନୀର ବରିଷ୍ଠ ପଦରେ ନିଯୁକ୍ତି ଦିଆଯାଇଥିଲା । ହୋମ୍ବାୟରମାନେ ଜମା କରିଥିବା ଟଙ୍କାକୁ ଆମ୍ରପାଲିର ନିର୍ଦ୍ଦେଶକମଣ୍ଡଳୀ, ବହୁ ଅଫିସର ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ବ୍ୟକ୍ତିଗତ ଫାଇଦା ପାଇଁ ବିନିଯୋଗ କରାଯାଇଥିଲା ।
ଅଡିଟ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ମାର୍କେଟ୍ ସ୍ଥିତି ବଦଳିବା କିମ୍ବା ହୋମ୍ ବାୟରଙ୍କ ଟଙ୍କାକୁ ନିବେଶ କରିବାରେ ତ୍ରୁଟି ଯୋଗୁ ଆମ୍ରପାଲୀ ଡୁବି ନାହିଁ ବରଂ ଗ୍ରୁପ୍ର ମାଲିମମାନେ ଜାଣିଶୁଣି ଅପରାଧୀକ କାର୍ଯ୍ୟ କରିବା ଯୋଗୁଁ ଏଡ଼େବଡ଼ କମ୍ପାନୀ ଦେବାଳିଆ ହୋଇଗଲା ।
ଆମ୍ରପାଲୀ ଗ୍ରୁପ୍ର ମାଲିକମାନେ ପ୍ରାୟ ୪୬ ହଜାର ଲୋକଙ୍କ ଅଗ୍ରିମ ଦେୟକୁ ଆତ୍ମସାତ କରିବା ଉଦ୍ଦେଶ୍ୟରେ ନକଲି କମ୍ପାନୀ ଖୋଲି ସେଗୁଡ଼ିକୁ ଟଙ୍କା ଯୋଗାଇ ଦେଇଥିଲେ । ଆମ୍ରପାଲୀକୁ ଋଣ ଦେଇଥିବା ବ୍ୟାଙ୍କମାନେ ଦେବାଳିକା ପ୍ରକ୍ରିୟା ଆରମ୍ଭ କରିବା ପରେ ହୋମ୍ ବାୟରମାନେ ସୁପ୍ରିମ୍କୋର୍ଟରେ ପିଟିସନ ଦାଖଲ କରିଥିଲେ । ଏହା ପରେ ସୁପ୍ରିମ୍କୋର୍ଟ ୪୬ଟି ପଞ୍ଜିକୃତ କମ୍ପାନୀର ଫରେନ୍ସିକ୍ ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଲେ । ସର୍ବୋଚ୍ଚ ଅଦାଲତ ପୂର୍ବରୁ ଯେଉଁ ଆଶଙ୍କା ପ୍ରକାଶ କରିଥିଲେ ଅଡିଟ୍ ରିପୋର୍ଟରେ ତାହା ହିଁ ଉଲ୍ଲେଖ ଅଛି । ପ୍ରାୟ ୪୬ ହଜାର ହୋମ୍ ବାୟରଙ୍କ ଜମା ଟଙ୍କା ଲୁଟ୍ ହୋଇଛି ବୋଲି ପୂର୍ବରୁ ସୁପ୍ରିମ୍କୋର୍ଟ ମତ ଦେଇଥିଲେ । ଏହି ଲୁଟ୍ରେ ଆମ୍ରପାଲୀ ଗ୍ରୁପ୍ର ନିର୍ଦ୍ଦେଶକଗଣ, ମୁଖ୍ୟ ଏକାଉଣ୍ଟସ୍ ଅଫିସର ଓ ଅଡିଟରମାନେ ହରିଲୁଟ କରିଛନ୍ତି ।
ଆମ୍ରପାଲୀ ଗ୍ରୁପ୍ର ଚେୟାରମ୍ୟାନ୍ ଅନିଲ ଶର୍ମା ଦିଲ୍ଲୀ ରିୟଲ୍ ଇଷ୍ଟେଟ୍ କ୍ଷେତ୍ରରେ ଏକଦା ପୋଷ୍ଟରବୟ ସାଜିଥିଲେ । ତାଙ୍କ ସ୍ଲୋଗାନ ଥିଲା ‘ମାଇଁ ହୋମ୍, ମାଇ ରାଇଟ୍’ । ସୁପ୍ରିମ୍କୋର୍ଟ ଏହି ଗ୍ରୁପ୍ର ଏମ୍ଡି ଏବଂ ୪୦ଟି କମ୍ପାନୀର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଓ ସମ୍ପତ୍ତି ଜବତ କରାଇଛନ୍ତି ।
Prev Post
Next Post