ରାଞ୍ଚି,୧୨/୭ : ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତିର ଦେବଘର କୋଷାଗାର ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି। ଝାରଖଣ୍ଡ ହାଇକୋର୍ଟ ଶୁକ୍ରବାର ତାଙ୍କର ଯାଚିକା ଉପରେ ଶୁଣାଣି କରିଛନ୍ତି। ବିଚାରପତି ଅପରେଶ କୁମାର ସିଂହଙ୍କ ଅଦାଲତ ଶୁଣାଣି ପରେ ଲାଲୁଙ୍କୁ ଜାମିନ ଦେଇଛନ୍ତି। ଶୁଣାଣି ସମୟରେ ସିବିଆଇର ଜବାବ ଉପରେ ଲାଲୁ ପ୍ରସାଦଙ୍କ ପକ୍ଷରୁ ପକ୍ଷ ରଖାଯାଇଥିଲା। ଏହା ପରେ କୋର୍ଟ ରାୟ ଶୁଣାଇଥିଲେ। ଏହା ସହିତ କୋର୍ଟ ତାଙ୍କ ଉପରେ ପାଞ୍ଚ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି। ଦେବଘର ମାମଲାରେ ଅଧା ସଜା କାଟିଥିବା କାରଣରୁ ତାଙ୍କୁ ଏହି ଜାମିନ ମିଳିଛି।
ଦେବଘର କୋଷାଗାର ମାମଲାରେ ଜାମିନ ମିଳିବା ପରେ ମଧ୍ୟ ଲାଲୁ ପ୍ରସାଦ ଯାଦବ ଜେଲରୁ ବାହାରି ପାରିବେ ନାହିଁ। ଜେଲରୁ ବାହାରିବା ପାଇଁ ତାଙ୍କୁ ଅନ୍ୟ ଦୁଇଟି ଚାଇବାସା ଓ ଦୁମକା ମାମଲାରେ ଜାମିନ ମିଳିବା ଦରକାର। କିନ୍ତୁ ତାଙ୍କୁ ଏହି ଜାମିନ ମିଳିବା ପରେ କିଛିଟା ଆଶ୍ଵସ୍ତି ମିଳିଛି। ଏଥିରେ ଆଗକୁ ଅନ୍ୟ ଦୁଇଟି ମାମଲାରେ ଜାମିନ ପାଇବା ପାଇଁ ପଥ ସହଜ ହୋଇ ଯାଇଛି।
ଉଲ୍ଲେଖଯୋଗ୍ୟ, ଲାଲୁ ପ୍ରସାଦ ଯାଦବଙ୍କ ପକ୍ଷରୁ ଦେବଘର ମାମଲାରେ ଜାମିନ ପାଇଁ ଯାଚିକା ଦାୟର କରାଯାଇଥିଲା। ଏହି ମାମଲାରେ ସିବିଆଇର ଅଦାଲତ ତାଙ୍କୁ ତିନି ବର୍ଷର ଜେଲ ସଜା ଦେଇଥିଲେ। ଏଥିରୁ ସେ ଅର୍ଦ୍ଧାଧିକ ସଜା କାଟି ସାରିଛନ୍ତି। ଏହାକୁ ଆଧାର କରି ଲାଲୁଙ୍କ ପକ୍ଷରୁ ଜାମିନ ପାଇଁ ଦାବି କରାଯାଇଥିଲା। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୨୦୧୭ ଡିସେମ୍ବର ୨୩ଠୁ ସେ ରାଞ୍ଚିର ହୋଟଓ୍ଵାର ଜେଲରେ ସଜା କାଟୁଛନ୍ତି। ବର୍ତ୍ତମାନ ଜେଲ ପ୍ରଶାସନର ତତ୍ଵାବଧାନରେ ରାଞ୍ଚିର ରିମ୍ସରେ ତାଙ୍କର ଚିକିତ୍ସା ଜାରି ରହିଛି। ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ଅନେକ ରୋଗ ଦେଇ ଗତି କରୁଛନ୍ତି।