ନୂଆଦିଲ୍ଲୀ,୧୨/୧୨: ବିଜେପି ସାଂସଦ ସୁଭ୍ରମଣ୍ୟମ ସ୍ୱାମୀ ଆରବିଆଇର ନୂତନ ଗଭର୍ଣ୍ଣର, ପୂର୍ବତନ ବାଣିଜ୍ୟ ସଚିବ ଏବଂ ବାଣିଜ୍ୟ ଆୟୋଗର ବର୍ତମାନ ସଦସ୍ୟ ଶକ୍ତିକାନ୍ତ ଦାସଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସୁଭ୍ରମଣ୍ୟମ କହିଛନ୍ତି କି, ଶକ୍ତିକାନ୍ତ ଦାସଙ୍କୁ ଆରବିଆଇ ଗର୍ଭଣ୍ଣର ଭାବରେ ନିଯୁକ୍ତ କରିବା ଭୁଲ୍ ନିଷ୍ପତି । ସେ ପି ଚିଦାମ୍ବରମଙ୍କ ସହ ଭ୍ରଷ୍ଟ ଗତିବିଧିରେ କାମ କରିଛନ୍ତି ଏମିତିକି ଅଦାଲତ ମାମଲାରେ ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି । ତେଣୁ ମୁଁ ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ।
ସୂଚନାନୁଯାୟୀ, ଆରବିଆଇ ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ ଇସ୍ତଫା ଦେବା ପରେ ନୂଆ ଗଭର୍ଣ୍ଣରଙ୍କୁ ନିଯୁକ୍ତ କରା ଯାଇଛି । ଏବେ ପୂର୍ବତନ ବାଣିଜ୍ୟ ସଚିବ ଏବଂ ବାଣିଜ୍ୟ ଆୟୋଗର ବର୍ତମାନ ସଦସ୍ୟ ଶକ୍ତିକାନ୍ତ ଦାସଙ୍କୁ ଆରବିଆଇର ନୂତନ ଗଭର୍ଣ୍ଣର ଭାବରେ ନିଯୁକ୍ତ କରା ଯାଇଛି । ତାମିଲନାଡୁ କ୍ୟାଡରର ୧୯୮୦ ବ୍ୟାଚର ଆଇଏଏସ ଶକ୍ତିକାନ୍ତ ଦାସ ଆରବିଆଇର ୨୫ ତମ ଗଭର୍ଣ୍ଣର । ତାମିଲନାଡୁ ସରକାର ଏବଂ କେନ୍ଦ୍ର ସରକାରଙ୍କ ସହିତ ପ୍ରଥମରୁ ଆର୍ଥିକ ବିଭାଗରେ ନିଜ ସେବା ପ୍ରଦାନ କରି ସାରିଛନ୍ତି । ସେ ମୋଦୀ ସରକାରଙ୍କ ବିମୁଦ୍ରାକରଣ ନିଷ୍ପତିରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।
ସୋମବାର ଦିନ ସନ୍ଧ୍ୟା ସମୟରେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ ପଦରୁ ଅଚାନକ ଇସ୍ତଫା ଦେଇଥିଲେ । ଗତ କିଛି ସମୟ ଠାରୁ କେନ୍ଦ୍ର ସରକାର ଏବଂ ପଟେଲଙ୍କ ମଧ୍ୟରେ ମତଭେଦ ଖବର ଆସୁଛି । ପଟେଲଙ୍କ ଏହି ପଦକ୍ଷେପ ମତଭେଦର ପରିଣାମ ବୋଲି କୁହାଯାଉଛି ।