ଭୁବନେଶ୍ୱର,୨୭/୧୨: ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାରଙ୍କ ମୁଖ୍ୟ ଉପଦେଷ୍ଟା (ସ୍ପେଶାଲ ଇନିସିଏଟିଭ୍) ଭାବେ ଆଜି ସେ ନିଯୁକ୍ତି ପାଇଛନ୍ତି। ଫଳରେ ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ମାନ୍ୟତା ମିଳିବ। ଏହି ପଦରେ ଅବସ୍ଥାପିତ ହେବା ପରେ ସେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ। ମୋଟ ୫ଟି କ୍ଷେତ୍ର ପାଇଁ କାର୍ଯ୍ୟ କରିବେ। ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଆଦିବାସୀ ସଂଗ୍ରହାଳୟ, କ୍ରାଫ୍ଟ ମ୍ୟୁଜିୟମ, ଐତିହ୍ୟ କ୍ୟାବିନେଟ୍ ଓ ଓଡ଼ିଆ ବିଶ୍ୱବିଦ୍ୟାଳୟ କଥା ବୁଝାବଣା କରିବେ ଏବଂ ସମସ୍ତ ତଥ୍ୟ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ।
ପୂର୍ବତନ ଉନ୍ନୟନ କମିଶନର ବାଲକ୍ରିଷ୍ଣନ ଅବୈତନିକ କାମ କରିବେ। ଓଡ଼ିଶାକୁ ଭଲ ପାଉଥିବା ଏହି ଆଇଏଏସ ଅଧିକାରୀ ଅବସର ପରେ କୌଣସି ଦରମା ନନେଇ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବେ। ନିଜର କାର୍ଯ୍ୟଦକ୍ଷତା ଓ ପ୍ରଶାସନିକ ଅଭିଜ୍ଞତା ଯୋଗୁଁ ସବୁବେଳେ ବାଲକ୍ରିଷ୍ଣନ ଚର୍ଚ୍ଚାରେ ରହି ଆସିଛନ୍ତି। ସେ ମୁଖ୍ୟ ଶାସନ ସଚିବ ପାହ୍ୟା ଅଧିକାରୀଙ୍କୁ ମିଳିଥିବା ସମସ୍ତ ସୁବିଧା ସୁଯୋଗ ଉପଭୋଗ କରିବେ। ପ୍ରକାଶ ଯେ, ଗତ ନଭେମ୍ବର ୩୦ରେ ଆର. ବାଲକ୍ରିଷ୍ଣନ ସରକାରୀ ଚାକିରୀରୁ ଅବସର ନେଇଥିଲେ।