ଭୁବନେଶ୍ୱର,୫/୨: ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସବୁ ଜାତୀୟ ରାଜନୈତିକ ଦଳର ହେବିୱେଟ ନେତାମାନେ ଘନ ଘନ ଓଡିଶା ଗସ୍ତ କରୁଛନ୍ତି । କ୍ଷମତାକୁ ଆସିବା ପରଠାରୁ ମୋଦୀ ସରକାରଙ୍କ ଫୋକସ ଓଡିଶା ଉପରେ ଥିବା ବେଳେ ରାଜ୍ୟରେ ଦିଗହରା ହୋଇ ଅସ୍ତିତ୍ୱ ଖୋଜୁଥିବା କଂଗ୍ରେସର ସ୍ଥିତିକୁ ସୁଧାରିବାକୁ ରାହୁଲ ଓଡିଶା ବାରମ୍ବାର ଗସ୍ତ କରୁଛନ୍ତି ।
ଆସନ୍ତାକାଲି ଓଡିଶାରେ ବହୁ ହେବିୱେଟ ନେତାଙ୍କ ସମାଗମ ହେବାକୁ ଯାଉଛି । ଦଳକୁ ମଜବୁଦ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ୧୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି । ଆସନ୍ତାକାଲି ରାହୁଲ ଗାନ୍ଧୀ ପଶ୍ଚିମ ଓଡିଶାର ଦୁଇଟି ଜନସମାବେଶକୁ ସମ୍ବୋଧିତ କରିବେ । ସେପଟେ ବିଜେଡି ଏବଂ ବିଜେପି ମଧ୍ୟ ପଛରେ ପଡିବାକୁ ଚାହୁଁନ୍ତାହାନ୍ତି । ବିଜେପି ପକ୍ଷରୁ କାଲି କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ନୀତୀନ ଗଡକରୀ ଓଡିଶା ଗସ୍ତରେ ଆସୁଛନ୍ତି । ଭୁବନେଶ୍ୱର, କାମାକ୍ଷାନଗର, ଏବଂ ପାରାଦୀପରେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ଦୁଇ ଦଳର ଏତେ ବଡ ବଡ କାର୍ଯ୍ୟକ୍ରମ କରୁଥିବା ବେଳେ ରାଜ୍ୟରେ କ୍ଷମତାରେ ଥିବା ବିଜେଡି କେମିତି ଚୁପ ରହିବ । ଆସନ୍ତାକାଲି ବିଜେଡି ମଧ୍ୟ ବଡ ଆୟୋଜନ କରିବାକୁ ଯାଉଛି । ଆସନ୍ତାକାଲି ବିଜେଡିରେ ସାମିଲ ହେବେ କଂଗ୍ରେସ ଛାଡିଥିବା ନେତା ତଥା ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସଂ ।
ଗତ ଜାନୁଆରୀ ୨୫ରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ରାହୁଲ ଗାନ୍ଧୀ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଡବଲ ସମାଲୋଚନା କରିଥିଲେ । ଏହା ସହିତ ରାଜ୍ୟରେ କ୍ଷମତାକୁ ଆସିଲେ କଂଗ୍ରେସ ୧୦ ଦିନ ଭିତରେ କୃଷି ଋଣ ଛାଡ଼ କରିବ ବୋଲି ଘୋଷଣା କରିଥିଲେ ରାହୁଲ । ଏହା ସହିତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଫୁଡ୍ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ କରାଯିବ ବୋଲି ସେ ଘୋଷଣା କରିଥିଲେ । ଏହି ସମୟରେ ଶାଣିତ ସ୍ଵରରେ ରାହୁଲ ଗାନ୍ଧୀ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ ।