ଆସନ୍ତାକାଲି ଘୋଷଣା ହେବ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନାମ

0

ନୂଆଦିଲ୍ଲୀ,୧୫/୧୨: ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପରେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଛିଣ୍ଡୁନି ଅଙ୍କକଷା। ତୃତୀୟ ଦିନରେ କସରତ ପରେ ବି ସ୍ଥିର ହୋଇ ପାରିନି ମୁଖ୍ୟମନ୍ତ୍ରୀଙ୍କ ନାମ। ମାତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏମପି ଓ ରାଜସ୍ଥାନ ପରି ଆଜି ମଧ୍ୟ ଟ୍ଵିଟ୍ କରି ଛତିଶଗଡ଼ର ସମସ୍ତ ମୁଖ୍ୟମନ୍ତ୍ରୀ ଦାବିଦାରଙ୍କ ସହ ଫଟୋ ଜାରି କରିଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଏ ପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ରବିବାର ମଧ୍ୟାହ୍ନ ୧୨ଟାରେ ରାୟପୁରରେ ବିଧାୟକ ଦଳର ବୈଠକ ହେବାକୁ ଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନାମରେ ଅନ୍ତିମ ମୋହର ଲାଗିବ।

ପାର୍ଟି ନେତା ପିଏଲ ପୁନିଆ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ ଡିସେମ୍ବର ୧୭ରେ ରାୟପୁରର ସାଇନ୍ସ ପଡିଆ କଲେଜରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ। ଏହା ପୂର୍ବରୁ ରାହୁଲ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାରି ସମ୍ଭାବିତ ଆଶାୟୀ ଟିଏସ ସିଂହ ଦେବ, ତାମ୍ରଧ୍ଵଜ ସାହୁ, ଭୁପେଶ ବାଘେଲ ଓ ଚରଣ ଦାସ ମହନ୍ତଙ୍କୁ ନିଜର ବାସଭବନରେ ଭେଟି ଆଲୋଚନା କରିଛନ୍ତି। ଏହି ବୈଠକରେ କଂଗ୍ରେସ କେନ୍ଦ୍ରୀୟ ପର୍ୟ୍ୟ ବେକ୍ଷକ ମଲ୍ଲିକାର୍ଜୁନ ଖଡ଼ଗେ, ପାର୍ଟିର ଛତିଶଗଡ଼ ପ୍ରଭାରୀ ପିଏଲ ପୁନିଆ ମଧ୍ୟ ସାମିଲ ଥିଲେ। ସୂତ୍ର ମୁତାବକ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରା ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ। ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ କଂଗ୍ରେସ ଅଧ୍ୟକ୍ଷଙ୍କ ଏହା ହେଉଛି ତୃତୀୟ ଆଲୋଚନା।
ଉଲ୍ଲେଖଯୋଗ୍ୟ ୧୫ ବର୍ଷର ବନବାସ ପରେ ରାଜ୍ୟରେ କଂଗ୍ରେସ ପୂର୍ଣ୍ଣ ବହୁମତ ସହିତ ଦ୍ଵିତୀୟ ଥର ସରକାର ଗଠନ କରିବାକୁ ଯାଉଛି। କଂଗ୍ରେସ ହାଇକମାଣ୍ଡ ପୂର୍ବରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରୂପେ ଅଶୋକ ଗେହଲତ ଓ ମଧ୍ୟ ପ୍ରଦେଶ ପାଇଁ କମଲନାଥଙ୍କ ନାମରେ ସ୍ଵୀକୃତି ଦେଇ ସାରିଛି।

Leave A Reply

Your email address will not be published.