ଭୁବନେଶ୍ୱର ,୧୪/୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଆସନ୍ତା କାଲି ଆଡିଲେଡରେ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ କଙ୍ଗାରୁ ୩୪ରନରେ ବିଜୟ ହାସଲ କରି ତିନି ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି । ତେଣୁ ଆସନ୍ତା କାଲିର ମ୍ୟାଚ ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ରହିଛି । ଦଳ ପାଇଁ କର ବା ମର ପରିସ୍ଥିତି ହୋଇଛି । ସିରିଜରେ ତିଷ୍ଠି ରହିବାକୁ ହେଲେ କାଲିର ମ୍ୟାଚ ଭାରତକୁ ଯେମିତି ହେଲେ ଜିତିବାକୁ ପଡିବ ।
ଭାରତ ଦ୍ୱିତୀୟ ଦିନିକିଆରେ ପରାସ୍ତ ହେଲେ ସିରିଜ ବିଜୟ ହାତଛଡା କରିବ । ଦଳର କଙ୍ଗାରୁ ବିପକ୍ଷରେ ପ୍ରଥମ ଥର ପାଇଁ ତାହାର ମାଟିରେ କୌଣସୀ ଦ୍ୱିପାକ୍ଷିକ ସିରିଜ ଜିତିବାର ଆଶା ମଉଳିଯିବ । ଭାରତ ଅଷ୍ଟ୍ରେଲିଆରେ ୧୨ଟି ଦିନିକିଆ ସିରିଜ ଖେଳିଛି । ସେହି ମଧ୍ୟରୁ ୧୧ଟି ବହୁରାଷ୍ଠ୍ରୀୟ ସିରିଜ ରହିଛି ।
ଦୁଇ ଦେଶ ମଧ୍ୟରେ ଏକମାତ୍ର ଦିନିକିଆ ସିରିଜ ୨୦୧୬ରେ ଖେଳାଯାଇଥିଲା । ୫ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୪-୧ରେ ପରାଜିତ ହୋଇଥିଲା । ଭାରତ ସେଠାରେ ମୋଟ ୪୯ଟି ମ୍ୟାଚ ଖେଳି ଥିବା ବେଳେ ମାତ୍ର ୧୧ଟି ମ୍ୟାଚରେ ବିଜୟୀ ହୋଇଛି । ବାକି ୩୬ଟି ମ୍ୟାଚରେ ପରାଜିତ ହୋଇଛି ।