ଭୁବନେଶ୍ୱର,୨୫/୧୨ : ଆସନ୍ତା କାଲି ପୁଣି ଥରେ ବ୍ୟାଙ୍କ ଧର୍ମଘଟ ଡକରା ଦିଆଯାଇଛି । ଗତ ଏକ ସପ୍ତାହ ମଧ୍ୟରେ ଏହା ହେଉଛି ୨ୟ ବ୍ୟାଙ୍କ ଧର୍ମଘଟ ହେବ । ବ୍ୟାଙ୍କ ଅଫ ବରୋଦା ସହ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣକୁ ବ୍ୟାଙ୍କ ୟୁନିୟନଗୁଡିକ ବିରୋଧ କରୁଛନ୍ତି । ଗତ ୨୧ ତାରିଖରେ ବ୍ୟାଙ୍କ ୟୁନିୟନଗୁଡିକ ବ୍ୟାଙ୍କ ମିଶ୍ରଣ ଓ ଦରମା ସଂଶୋଧନ ଦାବି କରି ଧର୍ମଘଟ କରିଥିଲେ ।
ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ବ୍ୟାଙ୍କ କ୍ଷେତ୍ରରେ କେତେକ ସଂସ୍କାର ଆଣିବାକୁ ଯୋଜନା କରୁଛନ୍ତି । ଏହା ମଧ୍ୟରେ ବିଭିନ୍ନ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ଅନ୍ୟତମ । ଏହି ଯୋଜନା ଅନୁଯାୟୀ ୩ଟି ରାଷ୍ଟ୍ରାୟତ ବ୍ୟାଙ୍କ ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ କରାଯାଉଛି । ଏହି ମିଶ୍ରଣ ପରେ ସୃଷ୍ଟି ହେବାକୁ ଥିବା ବ୍ୟାଙ୍କଟି ଦେଶର ୩ୟ ବୃହତ୍ତମ ବ୍ୟାଙ୍କ ହେବ । ଏହି ମିଶ୍ରଣକୁ ୩ଟି ଯାକ ବ୍ୟାଙ୍କର ବୋର୍ଡ ଇତି ମଧ୍ୟରେ ମଂଜୁରୀ ଦେଇସାରିଛନ୍ତି । ତେବେ ଏହି ମିଶ୍ରଣ ହେଲେ କର୍ମଚାରୀମାନେ ନିଯୁକ୍ତି ହରାଇବା ଆଶଙ୍କା କରୁଥିବାରୁ ଧର୍ମଘଟ କରୁଛନ୍ତି ।