ଆସିକା,୬/୨: ଗଞ୍ଜାମ ଜିଲା ଆସିକା ଏମ୍ପି ଲଡ଼ୁ କିଶୋର ସ୍ୱାଇଁଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ମାତ୍ର ଗତକାଲି ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବୁଧବାର ତାଙ୍କ ମର ଶରୀରକୁ ଗ୍ରାମ କବିସୂର୍ଯ୍ୟନଗରକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ।
୧୯୪୭ ଜୁଲାଇ ୮ତାରିଖରେ ଜନ୍ମଗ୍ରହଣ କରିଥିଲେ ଲଡ଼ୁକିଶୋର। ସେ ୨୦୧୪ ମସିହାରେ ଆସିକା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ବୁଧବାର ସେ ଦିଲ୍ଲୀରେ ସଂସଦ ଅଧିବେଶନରେ ଯୋଗ ଦେବାକୁ ଥିବା ବେଳେ ତାଙ୍କର ହଠାତ୍ ବିୟୋଗକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଡ଼ୁକିଶୋରଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହ ସେ ଜଣେ ଦକ୍ଷ ରାଜନୀତିଜ୍ଞ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।