ମୁମ୍ବାଇ, ୨୫/୩: ରିଷଭ ପନ୍ତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ର ରବିବାର ଅନୁଷ୍ଠିତ ମ୍ୟାଚରେ ପୂର୍ବତନ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୩୭ ରନରେ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୨୧୪ ରନ ବିଜୟ ଲକ୍ଷ୍ୟର ପିଛା କରି ମୁମ୍ବାଇ ୧୯.୨ ଓଭରରେ ୧୭୬ ରନ କରି ଅଲଆଉଟ ହୋଇ ଯାଇଥିଲା। ରିଷଭ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ।
ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ବୋଲରମାନେ ମାତ୍ର ୨୯ ରନ ମଧ୍ୟରେ ପୃଥ୍ବୀ ଶ(୭) ଓ ଅଧିନାୟକ ଶ୍ରେୟାସ ଆୟାର(୧୬)ଙ୍କ ଉଇକେଟ ହାସଲ କରି ଦିଲ୍ଲୀର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ମାତ୍ର ଅଭିଜ୍ଞ ଓପନର ଶିଖର ଧାଓ୍ବନ ଓ କଲିନ୍ ଇନ୍ଗ୍ରାମଙ୍କ ଦ୍ରୁତ ରନ ସଂଗ୍ରହ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ତୃତୀୟ ଉଇକେଟ ଯୋଡ଼ିରେ ୮୩ ରନ ଭାଗୀଦାରିପରେ ଇନ୍ଗ୍ରାମ ବ୍ୟକ୍ତିଗତ ୪୭(୩୨ ବଲ, ୭ ଚୌକା, ୧ ଛକା) ରନ କରି ଆଉଟ ହୋଇଥିଲେ। ପରେ ଧାଓ୍ବନ ୪୩(୩୬ ବଲ, ୪ ଚୌକା, ୧ ଛକା)ରେ ପ୍ୟାଭିଲିୟନ ଫେରିଥିଲେ। ମିଡଲ ଅର୍ଡରରେ କ୍ରିଜ୍କୁ ଆସିଥିବା ଯୁବ ଉଇକେଟ କିପର ରିଷଭ ପନ୍ତ କିନ୍ତୁ ଖେଳିଥିଲେ ବିସ୍ଫୋରକ ଇନିଂସ। ସେ ଧୂଆଁଧାର ବ୍ୟାଟିଂ କରି ୨୭ ବଲ୍ରୁ ୭ ଚୌକା ଓ ୭ ଛକା ସହାୟତାରେ ୭୮ ରନକରି ଅପରାଜିତ ରହିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୬ ଉଇକେଟ ହରାଇ ୨୧୩ ରନର ବଡ଼ ସ୍କୋର କରିଥିଲା। ମୁମ୍ବାଇ ପକ୍ଷରୁ ମିଚେଲ ମ୍ୟାକକ୍ଲିନହାନ ୩ଟି ଏବଂ ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା ଓ ବେନ୍ କଟିଂ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବଡ଼ ସ୍କୋରର ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୪୫ ରନ ମଧ୍ୟରେ ଟପ୍ ଅର୍ଡରର ୩ ବ୍ୟାଟ୍ସମ୍ୟାନ ଅଧିନାୟକ ରୋହିତ ଶର୍ମା(୧୪), କ୍ୱିଣ୍ଟନ ଡି କକ୍ (୨୭) ଓ ସୂର୍ଯ୍ୟ କୁମାର ଯାଦବ(୨)ଙ୍କ ଉଇକେଟ ହରାଇ ଚାପକୁ ଚାଲି ଆସିଥିଲା। ମିଡଲ ଅର୍ଡରରେ ଯୁବରାଜ ସିଂ ଲଢ଼ୁଆ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଦଳ ବିଜୟ ଲକ୍ଷ୍ୟଠାରୁ ବହୁ ଦୂରରେ ରହି ଯାଇଥିଲା। ଯୁବରାଜ ୩୫ ବଲ୍ରୁ ୫ ଚୌକା ଓ ୩ ଛକା ସହାୟତାରେ ସର୍ବାଧିକ ୫୩ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃନାଲ ପାଣ୍ଡ୍ୟା ୧୫ ବଲ୍ରୁ ୩୨(୫ ଚୌକା, ୧ ଛକା) ଓ କେରନ ପୋଲାର୍ଡ ୧୩ ବଲ୍ରୁ ୨୧(୨ ଚୌକା, ୧ ଛକା) ରନ ସଂଗ୍ରହ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଖାତା ଖୋଲିପାରି ନ ଥିଲେ। ଯଶପ୍ରୀତ ବୁମ୍ରା ଆହତ ସମସ୍ୟା (ଆବ୍ସେଣ୍ଟ ହର୍ଟ) ଯୋଗୁ ବ୍ୟାଟିଂ ପାଇଁ ଆସିପାରି ନ ଥିଲେ। ଦିଲ୍ଲୀ ପକ୍ଷରୁ ଈଶାନ୍ତ ଶର୍ମା ଓ କାଗିଶୋ ରାବାଡ଼ା ୨ଟି ଲେଖାଏ ଏବଂ ଟ୍ରେଣ୍ଟ ବୋଲ୍ଟ, କେମୋ ପଲ୍, ଅକ୍ଷର ପଟେଲ ଓ ରାହୁଲ ଟଓ୍ବୋଟିଆ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୨୧୩/୬(ପନ୍ତ-୭୮*, ଇନ୍ଗ୍ରାମ-୪୭, ଧାଓ୍ବନ-୪୩, ମ୍ୟାକ୍କ୍ଲିନହାନ-୩/୪୦, ବୁମ୍ରା-୧/୪୦,ହାର୍ଦ୍ଦିକ-୧/୪୧, କଟିଂ-୧/୨୭)। ମୁମ୍ବାଇ ଇଣ୍ଡିଆନ୍ସ ୧୯.୨ ଓଭରରେ ୧୭୬/ଅଲଆଉଟ(ଯୁବରାଜ-୫୩, କୃନାଲ-୩୨, ଡି’କକ୍-୨୭, ଈଶାନ୍ତ-୨/୩୪, ରାବାଡ଼ା-୨/୨୩, ବୋଲ୍ଟ-୧/୪୨, ଟଓ୍ବୋଟିଆ-୧/୧୨, ପଲ୍-୧/୨୧, ଅକ୍ଷର-୧/୪୨)।