ଇତିହାସ ରଚିଲେ ମାଲିଙ୍ଗା, ୪ ବଲରେ ନେଲେ ୪ ୱିକେଟ

ନୂଆଦିଲ୍ଲୀ,୭/୯: ୟର୍କରମ୍ୟାନ ଲାସିଥ ମାଲିଙ୍ଗା କ୍ରିକେଟ ଇତିହାସରେ ୨ୟ ଥର ପାଇଁ ବିରଳ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଯେଉଁ କାମକୁ ବିଶ୍ୱର ଅନ୍ୟ କୌଣସି ଖେଳାଳି ଗୋଟିଏ ଥର ମଧ୍ୟ କରିପାରି ନାହାନ୍ତି, ସେହି କାମକୁ ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗା କରିଛନ୍ତି । ସେ କ୍ରମାଗତ ଭାବେ ୪ଟି ବଲ ବୋଲିଂ କରି ୪ଟି ୱିକେଟ ନେଇଛନ୍ତି । ମାଲିଙ୍ଗା ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚରେ ଏହି ଅଭିଜ୍ଞତା ଆଣିଛନ୍ତି । ୧୨ ବର୍ଷ ପୂର୍ବରୁ ସେ ଆଇସିସି ବିଶ୍ୱକପରେ ମଧ୍ୟ ଏମିତି ପ୍ରଦର୍ଶନ କରିଥିଲେ । ଆଇସିସି ଟୁଇଟ କରି ମାଲିଙ୍ଗାଙ୍କୁ ପ୍ରଶଂସା କରିଛି ।

ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ଟି-୨୦ ମ୍ୟାଚ ପଲ୍ଲେକଲରେ ଖେଳାଯାଇଥିଲା । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୮ଟି ୱିକେଟରେ ୧୨୫ ରନ କରିଥିଲା । ଏହା ନ୍ୟୁଜିଲାଣ୍ଡ ପାଇଁ ସହଜ ବିଜୟ ଲକ୍ଷ୍ୟ ଥିଲା । ନ୍ୟୁଜିଲାଣ୍ଡ ପୂର୍ବରୁ ୨ଟି ଟି-୨୦ ମ୍ୟାଚରେ ବିଜୟୀ ହୋଇସାରିଥିଲା । ମାତ୍ର ଲାସିଥ ମାଲିଙ୍ଗା କିଛି ଅନ୍ୟ ବିଷୟରେ ଚିନ୍ତା କରୁଥିଲେ । ସେ କ୍ରମାଗତ ଭାବେ ୪ଟି ବଲରେ ନ୍ୟୁଜିଲାଣ୍ଡର ୪ ଜଣ ଖେଳାଳିଙ୍କୁ ଆଉଟ କରି ପଡ଼ିଆରୁ ବାହାର କରିଥିଲେ । ନ୍ୟୁଜିଲାଣ୍ଡ ବିନା ୱିକେଟରେ ୧୫ ରନ ସଂଗ୍ରହ କରିଥିବା ବେଳେ ଅଳ୍ପ ସମୟ ମଧ୍ୟରେ ସେତିକି ରନରେ ୪ଟି ୱିକେଟ ହରାଇଥିଲା ।

ଲାସିଥ ମାଲିଙ୍ଗା ନ୍ୟୁଜିଲାଣ୍ଡକୁ ତୃତୀୟ ଓଭରରେ କ୍ରମାଗତ ଭାବେ ବିପର୍ଯ୍ୟୟ ସ୍ଥିତିରେ ପହଞ୍ଚାଇଥିଲେ । ସେ ମୁନରୋ, ହାମିଶ ରଦରଫୋର୍ଡ, କୋଲିନ ଡି ଗ୍ରାଣ୍ଡହୋମ ଓ ରସ ଟେଲରଙ୍କୁ ଆଉଟ କରିଥିଲେ । ମାଲିଙ୍ଗା ନିଜର ଦ୍ୱିତୀୟ ଓଭରର ତୃତୀୟ ବଲରେ ମୁନରୋଙ୍କୁ ଶିକାର କରିଥିଲେ । ଏହା ପେର ହାମିଶଙ୍କୁ ଏଲବିଡବ୍ଲୁ କରିଥିଲେ । ପଞ୍ଚମ ବଲରେ ଗ୍ରାଣ୍ଡହୋମ ଓ ଶେଷ ବଲରେ ଟେଲରଙ୍କୁ ଆଉଟ କରିଥିଲେ ।

ମାଲିଙ୍ଗା ୪ ଓଭର ବୋଲିଂ କରି ଗୋଟିଏ ମେଡେନ ନେଇଥିବା ବେଳେ ୬ ରନ ଦେଇ ୫ଟି ୱିକେଟ ନେଇଛନ୍ତି । ଅନ୍ତିମ ଟି-୨୦କୁ ଶ୍ରୀଲଙ୍କା ୩୭ ରନରେ ଜିତିଛି ।