କନ୍ୟାକୁମାରୀ, ୧/୩ : ତାମିଲନାଡ଼ୁର କନ୍ୟାକୁମାରୀ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଲଓ୍ଵାମା ହମଲା ବିଷୟରେ ଉଲ୍ଲେଖ କରି ଯବାନଙ୍କୁ ସଲାମ କରିଛନ୍ତି। ଏହି ସମୟରେ ପିଏମ ମୋଦୀ କହିଛନ୍ତି ଯେ ଗତ ସରକାର ଆତଙ୍କୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇନଥିଲେ, ମାତ୍ର ଆମ ସରକାର ସେନାକୁ ଆତଙ୍କବାଦୀଙ୍କଠୁ ପ୍ରତିଶୋଧ ନେବା ପାଇଁ ପୂର୍ଣ୍ଣ ସ୍ଵାଧୀନତା ଦେଇଛୁ। ପିଏମ ନିଜ ଭାଷଣର ଆରମ୍ଭରୁ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପ୍ରଶଂସା କରିଛନ୍ତି। ଉଲ୍ଲେଖଯୋଗ୍ୟ ଆଜି ଅଭିନନ୍ଦନଙ୍କୁ ପାକିସ୍ତାନ ଅଟାରୀ ବର୍ଡରରେ ଭାରତକୁ ହସ୍ତାନ୍ତର କରିବ।ସେ ବୁଧବାର ପାକିସ୍ତାନୀ ସେନା କବଜାରେ ଥିଲେ।
ପିଏମ ମୋଦୀ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ପ୍ରତ୍ୟେକ ଭାରତୀୟ ଗର୍ବ କରୁଛନ୍ତି ଯେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ତାମିଲନାଡୁର। ଏହି ସମୟରେ ପିଏମ ଆତଙ୍କବାଦର ଉଲ୍ଲେଖ କରି କହିଛନ୍ତି ଯେ, ଅନେକ ବର୍ଷରୁ ଦେଶ ଆତଙ୍କବାଦର ସାମ୍ନା କରୁଥିଲା। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଅନେକ ଆତଙ୍କୀ ହମଲା ହେଲା। ଜୟପୁର, ମୁମ୍ବାଇ, ପୁଣେ, ହାଇଦ୍ରାବାଦର ଅନେକ ସ୍ଥାନରେ ହମଲା ହୋଇଥିଲା, ମାତ୍ର କେହି ହେଲେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ।
ପିଏମ ଯବାନଙ୍କୁ ସଲାମ କରି କହିଛନ୍ତି ଯେ, ମୁମ୍ବାଇରେ ୨୬/୧୧ ଆତଙ୍କୀ ହମଲା ହେଲା, ମାତ୍ର ତତ୍କାଳୀନ ସରକାର କିଛି କଲେ ନାହିଁ। ମାତ୍ର ଉରି ଓ ପୁଲଓ୍ଵାମାରେ ଆତଙ୍କୀ ହମଲା ପରେ ତୁରନ୍ତ ପ୍ରତିଶୋଧ ନିଆଗଲା। ମୁଁ ସଲାମ କରୁଛି ସେହି ସୈନିକଙ୍କୁ ଯିଏ ଆମ ଦେଶର ସେବା କରି ପ୍ରାଣବଳୀ ଦେଉଛନ୍ତି। ସମୟ ଥିଲା ଯେବେ ଖବର କାଗଜରେ ପ୍ରକାଶିତ ହେଉଥିଲା ଯେ, ସେନା ପ୍ରତିଶୋଧ ନେବାକୁ ଚାହୁଁଛନ୍ତି, ମାତ୍ର ୟୁପିଏ ସରକାର ଅନୁମତି ଦେଉ ନାହାନ୍ତି। ଆଜି ଖବର ପ୍ରକାଶିତ ହେଉଛି ଯେ ସେନାକୁ ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି ଏବଂ ସେମାନେ ଯେବେ ଚାହିଁବେ ଯେଉଁଠି ଚାହିଁବେ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ।