ବ୍ରହ୍ମଗିରି,୧୭/୪: ଓଡିଶାରେ ବିଜେପି ସରକାରକୁ ଆସିଲେ ୧୦ ହଜାର କୋଟି ଟଙ୍କା ବ୍ୟୟରେ ଦୀଘାରୁ ଗୋପାଳପୁର ପର୍ୟ୍ୟରନ୍ତ ସାଢେ ୪୦୦ କିମି ଦୀର୍ଘ କୋଷ୍ଟାଲ ହାଇୱେ ବନାଯିବ । ଜାତୀୟ ରାଜପଥ ବିଭାଗ ସହ ଆଲୋଚନା କରି ଏହି ଉପକୂଳ ଜାତୀୟ ରାଜପଥ ନିର୍ମାଣ ହେବ । ଏହାଦ୍ୱାରା ବ୍ରହ୍ମଗିରି, ପୁରୀ ଓ କୃଷ୍ଣପ୍ରସାଦ ବ୍ଲକକୁ ଭାରତମାଳା ପ୍ରକଳ୍ପରେ ଯୋଡାଯାଇପାରିବ ବୋଲି ପୁରୀ ଜିଲ୍ଲା ବ୍ରହ୍ମପୁର ନିର୍ବାଚନ ମଣ୍ଡଳିରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ ବିଜେପି ସରକାରକୁ ଆସିଲେ ୫ ବର୍ଷ ଭିତରେ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ପାଣିର ସୁପ୍ରବନ୍ଧନ ପାଇଁ ବ୍ୟବସ୍ଥା କରାଯିବ, ଏହି ଚଷାଚାଷୀ ଅଂଚଳର ତିନି ଫସଲି ପାଇଁ ଜଳ ସେଚନର ବ୍ୟବସ୍ଥା କରାଯିବ, ଆଗାମୀ ୨୦୨୨ ସୁଦ୍ଧା ସବୁ ଗରିବଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ, ଯୁକ୍ତ ଦୁଇ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦିଆଯିବ, ଏସଏସଜି ମହିଳାଙ୍କ ଋଣଛାଡ କରାଯିବା ସହ ବିନା ସୁଧରେ ଋଣ ଦିଆଯିବ, ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯିବ, ସବୁ ଜିଲ୍ଲାରେ ମେଡିକାଲ ଓ ବି.ଇଡି କଲେଜ ହେବ, ସମସ୍ତ ଯୁବକ ଓ ଯୁବତୀଙ୍କୁ ରୋଜଗାର ଓ ସ୍ୱରୋଜଗାର ସହ ଯୋଡାଯିବ ।
୧୯ ବର୍ଷ ଧରି ଦୀର୍ଘ ଶାସନରେ ଏ ଅଂଚଳରେ ନଳରେ ଶୁଦ୍ଧ ପିଇବା ପାଣି ଆସୁନାହିଁ, ଜମିକୁ ପାଣି ନାହିଁ, ୨୪ ଘଂଟା ବିଜୁଳି ନାହିଁ, ଶିକ୍ଷକ ନାହାଁନ୍ତି, ଡାକ୍ତର ନାହାଁନ୍ତି, କାମ ନପାଇ ଯୁବକ ବାହାରକୁ ଖଟିବାକୁ ଯାଉଛି । ଏତଦବ୍ୟତିତ ନବୀନ ବାବୁ ୧୯ ବର୍ଷରେ କଣ କଲେ ତାହାର ହିସାବ ଦେଉନାହାନ୍ତି । ମୋଦି ଓଡିଶାକୁ ଶୌଚାଳୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଟଙ୍କା ପଠାଉଥିବା ବେଳେ ଏଥିପାଇଁ ଲାଂଚ ଦେବାକୁ ପଡୁଛି । ଏ ପିସିଖିଆ ସରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କାଳିଆ ଯୋଜନାରେ ଚାଷୀମାନେ ଟଙ୍କା ପାଉନାହାନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ କାଳିଆକୁ ବିଜେପି ବନ୍ଦ କରିଦେଲା ବୋଲି ଅଭିଯୋଗ କରୁଛନ୍ତି । ବଜେଟରେ ଟଙ୍କା ନାହିଁ, କାଳିଅ।।ର ତାଲିକା କୁଆଡେ ଗଲା ? ଶାସକ ଦଳର ବିକ୍ରମ ଆରୁଖଙ୍କ ଭାଇ, ନିରଞ୍ଜନ ପୂଜାରିଙ୍କ ବାପା ଓ ସୁଶାନ୍ତ ସିଂହଙ୍କ ଭାଇଙ୍କ ନାଁ କାଳିଆରେ ଆସିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ସେମାନେ କାଳିଆର ଲାଭାର୍ଥୀ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିବା ସହ ଗରିବ ଚାଷୀଙ୍କୁ କେବଳ ବିଜ୍ଞାପନରେ ରାଜ୍ୟ ସରକାର କାଳିଆ ଦେଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଏକବିଂଶ ଶତାବ୍ଦିରେ ଆଜି ଲୋକଙ୍କୁ ଦୃଢ ସରକାର ଦେଇଥିବା ଲୋକର ନାଁ ହେଲା ନରେନ୍ଦ୍ର ମୋଦି । କୋଷ୍ଟାଲ ହାଇୱେ ବନାଇବାର ଯୋଜନା, ନବକଳେବରେ ସାହାଯ୍ୟ କରିଥିବା, ବକ୍ସି ଜଗବନ୍ଧୁଙ୍କ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତିର ପାଳନ କରିଥିବା ଓ ଗରିବ ଲୋକର କଲ୍ୟାଣକାରୀ ଯୋଜନା କରିଥିବା ଲୋକର ନାଁ ହେଲା ନରେନ୍ଦ୍ର ମୋଦି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।