ଭୁବନେଶ୍ୱର, ୧୮/୧୨: ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ ପୁଣି ଥରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଫିଲିପାଇନ୍ସରେ ଚାଲିଥିବା ଏସିଆନ୍ ମହିଳା ଚେସ୍ ଚାମ୍ପିୟନ୍ସିପ୍ରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ସହିତ ପଦ୍ମିନୀ ମହିଳା ଚେସ୍ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଫିଲିପାଇନ୍ସର ମକାଟିରେ ଚାଲିଥିବା ଏସିଆନ୍ ମହିଳା ଚେସ୍ ଚାମ୍ପିୟନ୍ସିପ୍ରେ ପଦ୍ମିନୀ ମୋଟ ୯ଟି ରାଉଣ୍ଡରୁ ୭ ପଏଣ୍ଟ ହାସଲ କରିଛନ୍ତି । ସିନିୟର୍ ବର୍ଗରେ ଏହା ତାଙ୍କର ପ୍ରଥମ ଏସିଆନ୍ ପଦକ । ଏହି ବିଜୟ ସହିତ ଋଷିଆରେ ହେବାକୁ ଥିବା ଆଗାମୀ ୨୦୨୦ ବିଶ୍ୱ କପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ଆଗକୁ ଆହୁରି ଭଲ ପ୍ରଦର୍ଶନ କରି ଅଧିକ ମେଡାଲ ଆଣିବେ ବୋଲି ଆଶା ରଖିଛନ୍ତି ।