ଏସ୍‌ବିଆଇ ଦେଲା ମୃତ୍ୟୁକାଳୀନ ବୀମା ରାଶି

0

ଅନୁଗୋଳ,୯/୩ : ଏସ୍‌ବିଆଇ ଲାଇଫର ଋଣ ସୁରକ୍ଷା ପଲିସି କରିବା ପରେ ପ୍ରାଣ ହରାଇଥିବା ମନ୍ଦର ଗୋଚ୍ଛାୟତଙ୍କ ସ୍ତ୍ରୀ ସୁବାସିନୀ ଦେଈଙ୍କୁ ଅନୁଗୋଳ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମୃତ୍ୟୁକାଳୀନ ବୀମା ରାଶି ୪ ଲକ୍ଷ ୫୭ ହଜାର ୬୮୬ ଟଙ୍କା ପ୍ରଦାନ କରାଯାଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ ବ୍ୟାଙ୍କ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁବାସିନୀଙ୍କୁ ଉକ୍ତ ରାଶି ପ୍ରଦାନ କରିବା ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ଅସହାୟ ପରିବାରକୁ ଅର୍ଥ ମଞ୍ଜୁର କରିଥିବାରୁ ବ୍ୟାଙ୍କର ପଦକ୍ଷେପକୁ ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ, ଅନୁଗୋଳ ପୋଲିସ ଟ୍ରେନିଂ କଲେଜରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ମନ୍ଦର ଗୋଚ୍ଛାୟତ ଗତବର୍ଷ ଫେବୃୟାରୀରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅନୁଗୋଳ ଶାଖାରୁ ୫ ଲକ୍ଷ ଟଙ୍କା ବ୍ୟକ୍ତିଗତ ଋଣ ଗ୍ରହଣ କରିଥିଲେ। ଏହାକୁ ଏସ୍‌ବିଆଇ ଲାଇଫର ଋଣ ରକ୍ଷା ପଲିସିରେ ବୀମା ଭୁକ୍ତ କରାଯାଇଥିଲା। ଋଣ ଗ୍ରହଣର ୭ ମାସ ପରେ ମନ୍ଦର କିଡ୍‌ନୀ ଜନିତ ରୋଗରେ ପ୍ରାଣ ହରାଇଥିଲେ। ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକ ଓ ଏସ୍‌ବିଆଇ ଲାଇଫର ଅଧିକାରୀମାନଙ୍କ ମିଳିତ ଉଦ୍ୟମରେ ମନ୍ଦରଙ୍କ ମୃତ୍ୟୁର ୭ ମାସରେ ତାଙ୍କ ପରିବାରକୁ ବୀମା ସହାୟତା ପ୍ରଦାନ କରାଯାଇଛି। ଏହା ବ୍ୟାଙ୍କର ଏକ ବିରଳ ସଫଳତା ବୋଲି କୁହାଯାଉଛି। ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ପି.କେ. ଜେନା, ମୁଖ୍ୟ ଶାଖା ପରିଚାଳକ ସୁବାସ ଚନ୍ଦ୍ର ବେହେରା ଓ ଋଣ ସୁରକ୍ଷା ପଲିସି ଅଧିକାରୀ ଅମିତ ପାଣିଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.