ଭୁବନେଶ୍ୱର,୧୭/୧: ଓଟିଇଟି ପ୍ରଶ୍ନପତ୍ର ଲିକ୍ ପରେ ବୁଧବାର ପରୀକ୍ଷା ବାତିଲ କରାଯାଇଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଛାତ୍ର ସଂଗଠନ ଏବିଭିପି ପକ୍ଷରୁ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସରକାରୀ ବାସଭବନକୁ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତେବେ ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାରୁ ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ଶେଷରେ ପୋଲିସ ଏବିଭିପିର ୨୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତାଙ୍କୁ ଧରିନେବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ତେବେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ହେଉଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦର କାର୍ଯ୍ୟଧାରା ଓ ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରୀଛାତ୍ର। ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ଏବିଭିପି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର। କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଲିକ୍ ହେଲା, କିଏ ଏହାକୁ କେଉଁଠୁ ପାଇଲା ଏବଂ କିଏ ସୋସିଆଲ ମିଡ଼ିଆରେ ଛାଡ଼ିଲା ତାହାର ତୁରନ୍ତ ପର୍ଦ୍ଦାଫାଶ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ବୋର୍ଡ ଓ ଶିକ୍ଷା ବିଭାଗ ଏପରି ନ ଖେଳନ୍ତୁ। ପରିଚାଳନା କମିଟିର ଖାମଖିଆଲ ମନୋଭାବ ଯୋଗୁ ଆଜି ପିଲାଙ୍କ ଭବିଷ୍ୟତ ଗୁରୁତର ପ୍ରଭାବିତ ହେଉଛି। ଏହି ଘଟଣାରେ ବିଭାଗୀୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।