ଭୁବନେଶ୍ୱର,୧୬/୩: ଓଡ଼ିଶାର ୩ ଜଣଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ସେମାନେ ହେଲେ ଦୈତାରୀ ନାୟକ, କମଳା ପୂଜାରୀ ଓ ଡି. ପ୍ରକାଶ ରାଓ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସେମାନଙ୍କୁ ସମ୍ମାନିତ କରାଯାଇଛି।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସିଥିବା କମଳାଙ୍କୁ ବିରଳ ଧାନ ସଂଗ୍ରହ ନେଇ ଏହି ସମ୍ମାନ ମିଳିଛି। ସେହିପରି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଦୈତାରୀ ନାୟକ ଓ ଡି.ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
କୋରାପୁଟର ଆଦିବାସୀ ମହିଳା କମଳା ଜୈବିକ ପ୍ରଣାଳୀରେ ଚାଷ କରିବା ସହ ୧ଶହରୁ ଅଧିକ ବିରଳ କିଷମର ଧାନକୁ ସଂଗ୍ରହ କରି ରଖିଥିଲେ। ଏଥିସହ ସେ ଜୈବିକ ପ୍ରଣାଳୀରେ ଚାଷ କରିବା ଲାଗି ଗ୍ରାମର ଲୋକଙ୍କୁ ବୁଝାଉଥିଲେ।
ସେହିଭଳି କେନ୍ଦୁଝର ଜିଲା ବୈତରଣୀ ଗ୍ରାମର ଦୈତାରୀ ନାୟକ ‘ମାଉଣ୍ଟେନ ମ୍ୟାନ୍’ ଭାବେ ପରିଚିତ। ତାଙ୍କ ଗ୍ରାମର ଚାଷ ଜମିକୁ ବର୍ଷ ତମାମ ଜଳ ନିଅଣ୍ଟ ପଡ଼ୁଥିବା ଯୋଗୁ ସେ ଏହାର ଉପାୟ ବାହାର କରିଥିଲେ। ଗୋନାସିକା ପାହାଡ଼ରେ ବହି ଯାଉଥିବା ବୈତରଣୀର ଶାଖା ନଦୀକୁ କାଟି ସେ ଦୀର୍ଘ ୪ କିମି ପର୍ଯ୍ୟନ୍ତ ନାଳ ଖୋଳି ନିଜ ଗାଁ ଚାଷ ଜମିକୁ ପାଣି ମଡାଇଥିଲେ। ଏହି କାର୍ଯ୍ୟକୁ ଅନେକ ପ୍ରଶଂସା କରାଯାଇଥିଲା।
ଡି.ପ୍ରକାଶ ରାଓ ଜଣେ ଚାହାବାଲା। ହେଲେ କଟକ ସହରର ଜଣେ ବିଶିଷ୍ଟ ସମାଜସେବୀ ଭାବେ ସେ ପରିଚିତ। ବକ୍ସି ବଜାରରେ ରହିଛି ପ୍ରକାଶ ରାଓଙ୍କ ଚା’ ଦୋକାନ। ସେ ଗ୍ରାହକମାନଙ୍କୁ ଉତ୍ତମ ବ୍ୟବହାର, ଖବରକାଗଜ ପଢ଼ିବା ଆଦି ବିଭିନ୍ନ ସୁଯୋଗ ଦେଇଥାନ୍ତି। ସେହିଭଳି ସେ ୨୧୮ଥର ରକ୍ତଦାନ କରିଛନ୍ତି। କେବଳ ସେତିକି ନୁହେଁ ପ୍ରକାଶ ରାଓ ୧୯ ବର୍ଷ ପୂର୍ବେ ସେ ଆରମ୍ଭ କରିଥିବା ‘ଆଶା ଓ ଆଶ୍ୱାସନା’ ସ୍କୁଲରେ ବସ୍ତି ପିଲାଙ୍କୁ ମାଗଣା ପଢ଼ିବାର ସୁଯୋଗ ଦେଇ ଆସୁଛନ୍ତି। ୨୦୧୮ରେ କଟକ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ବତନ୍ତ୍ର ଭାବେ ସାକ୍ଷାତ କରିବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।