ବରଗଡ଼,୧୫/୩: ନିର୍ବାଚନୀ ବିଗୁଲ ବାଜିବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସି ବରଗଡ଼ର ସରସରା ପଡିଆରେ ଜନସଭାକୁ ସମ୍ବୋଧିତ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ନବୀନ କହିଥିଲେ ସାରା ରାଜ୍ୟରେ ଶୀତଳ ଭଣ୍ଡାର କରିବେ ମାତ୍ର ହେଲା କଣ। ଏହି ପରି ଓଡ଼ିଶା ଏବେ ବେରୋଜଗାରର ସେଣ୍ଟର ହୋଇ ଯାଇଛି। ଅନ୍ୟ ପଟେ ମୋଦୀ ବି ଚାଷୀଙ୍କ ପାଇଁ ବଡ଼ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ଚାଷୀ ନୁହେଁ ତାଙ୍କର ବଡ଼ ବଡ଼ ମିତ୍ରଙ୍କ ପାଇଁ ଋଣ ଛାଡ଼ କଲେ ବୋଲି ରାହୁଲ କହିଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବା ସହିତ ରାହୁଲ ନିକଟରେ ତିନୋଟି ରାଜ୍ୟରେ ନିଜ ସରକାରଙ୍କ ଉପଲବ୍ଧି ବଖାଣିଥିଲେ। ଆମେ ଯାହା କହୁ ତାହା କରୁ, ଯାଆନ୍ତୁ ଛତିଶଗଡ଼, ଆମେ କଣ କରିଛୁ ଦେଖିବ ବୋଲି ରାହୁଲ ରାଜ୍ୟ ସରକାରଙ୍କୁ ଆକ୍ଷେପ କରି କହିଛନ୍ତି।
ରାହୁଲ କହିଛନ୍ତି ଯେ ବରଗଡ଼ ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିଲା। ମାତ୍ର ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଆଜି ଏଠାରେ ଚାଷୀ ଦୈନିକ ଆତ୍ମହତ୍ୟା କରୁଛନ୍ତି। କୌଣସି ଏମିତି ଦିନ ନାହିଁ ଯେଉଁ ଦିନ ଚାଷୀ ଆତ୍ମହତ୍ୟା କରୁନି। ନବୀନ କହିଥିଲେ ସାରା ରାଜ୍ୟରେ ଶୀତଳ ଭଣ୍ଡାର କରିବେ, ମାତ୍ର ଦୀର୍ଘ ୧୯ ବର୍ଷର ଶାସନରେ ମଧ୍ୟ ନବୀନ ସରକାର ଆବଶ୍ୟକ ଶୀତଳ ଭଣ୍ଡାର ମଧ୍ୟ କରି ପାରିଲା ନାହିଁ।
ସେହି ପରି ମୋଦୀ ମଧ୍ୟ ଚାଷୀଙ୍କ ପାଇଁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଚାଷୀଙ୍କ ପାଇଁ ନୁହଁ ତାଙ୍କ ବଡ଼ ବଡ଼ ମିତ୍ରଙ୍କ ପାଇଁ ଋଣ ଛାଡ଼ କରିଛନ୍ତି। ଅମ୍ବାନୀ, ନିରବ ମୋଦୀଙ୍କ ପାଇଁ ହଜାର ହଜାର କୋଟି ଟଙ୍କା ଛାଡ଼ିଛନ୍ତି। ଚାଷୀଙ୍କ ପାଇଁ କିନ୍ତୁ ଟଙ୍କାଟିଏ ଋଣ ଛାଡ଼ କଲେ ନାହିଁ।
ରାହୁଲ କହିଛନ୍ତି ଯେ, ଆମେ ଯାହା ପ୍ରତିଶ୍ରୁତି ଦେଉ ତାହା ପାଳନ କରୁ। ଆମେ ଭୋଟ୍ ପୂର୍ବରୁ ଛତିଶଗଡ଼ରେ ୩ଟି ପ୍ରତିଶ୍ରୁତି ଦେଇଥିଲୁ। ଛତିଶଗଡ଼ରେ ୧୦ ଦିନ ମଧ୍ୟରେ ଋଣ ଛାଡ଼ କରିବୁ କହିଥିଲୁ, ତାହା ୬ ଘଣ୍ଟାରେ ପୂରଣ କଲୁ। ଶିଳ୍ପ ପାଇଁ ନିଆଯାଉଥିବା ଜମି ଶିଳ୍ପ ନହେଲେ ଫେରସ୍ତ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲୁ। ମାସକରେ ବସ୍ତରରେ ଥିବା ଟାଟା ଜମି ଚାଷୀଙ୍କୁ ଫେରାଇଲୁ। ଏହି ପରି ଧାନର ସର୍ବନିମ୍ନ ମୂଲ୍ୟ ୨୫ ଶହ ଟଙ୍କା କରିବୁ ବୋଲି କହିଥିଲୁ, ୨ ଦିନରେ ଚାଷୀଙ୍କୁ ଧାନ କ୍ଵିଣ୍ଟାଲ ପିଛା ୨୫ ଶହ ଟଙ୍କା ଦେଲୁ।
ରାହୁଲ ନବୀନ ସରକାର ଉପରେ ହମଲା କରି କହିଛନ୍ତି ଯେ, ନବୀନ କହିଥିଲେ ରାଜ୍ୟରେ ଶୀତଳ ଭଣ୍ଡାର ଓ ଫୁଡ ପ୍ରୋସେସିଂ ପ୍ଲାଣ୍ଟ କରିବେ। ମାତ୍ର ୧୯ ବର୍ଷର ଶାସନ ମଧ୍ୟରେ ନା ଶୀତଳ ଭଣ୍ଡାର ହେଲା ନା ଫୁଡ ପ୍ରୋସେସିଂ ପ୍ଲାଣ୍ଟ ହେଲା। ଏବେ ଛତିଶଗଡ଼ ଯାଆନ୍ତୁ, ଆମେ କଣ କରିଛୁ ଦେଖିବ। ଯାହା କହୁ ତାହା କରୁ- ଛତିଶଗଡ଼ରେ ଯାହା କରିଛୁ କ୍ଷମତାକୁ ଆସିଲେ ଓଡ଼ିଶାରେ ତାହା କରିବୁ ବୋଲି ରାହୁଲ କହିଛନ୍ତି।
ନବୀନ ସରକାର ଅମଳରେ ଓଡ଼ିଶା ବେରୋଜଗାରୀ ସେଣ୍ଟର ହୋଇଥିବା ରାହୁଲ କହିଛନ୍ତି। ରାଜ୍ୟର ଯୁବକ ମାନେ କାମ ନପାଇ ବାହାରକୁ ଯାଉଛନ୍ତି। ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆମ ସରକାରର ଲକ୍ଷ୍ୟ ଗରିବକୁ ସାହାଯ୍ୟ କରିବା। ମାତ୍ର ମୋଦୀ ଓ ନବୀନ ଶିକ୍ଷା ଓ ସ୍ଵାସ୍ଥ୍ୟକୁ ଘରୋଇକରଣ କରି ଦେଇଛନ୍ତି। ଭାରତର ସବୁ ନାଗରିକଙ୍କୁ ଆମେ ସ୍ଵାସ୍ଥ୍ୟ ଅଧିକାର ଦେବୁ। ଅତି ସ୍ଵଳ୍ପ ମୂଲ୍ୟରେ ଆପଣଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବୁ ବୋଲି ରାହୁଲ କହିଛନ୍ତି।
ନବୀନ ସରକାର ଅମଳରେ ଓଡ଼ିଶା ଋଣଭାରରେ ବୁଡି ଯାଇଛି। ରାଜ୍ୟ ରାଜକୋଷ ଖାଲି ପଡ଼ିଛି। ଦେଢ ଲକ୍ଷ ପଦବୀ ଖାଲି ପଡିଛି। ମାତ୍ର ଆମ ସରକାର ଆସିଲେ ପଦବୀ ପୂରଣ ହେବ, ଯୁବକଙ୍କୁ ରୋଜଗାର ମିଳିବ। ଚିଟ୍ ଫଣ୍ଡ ମାମଲା ନେଇ ରାହୁଲ ନବୀନ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି।
ସେ କହିଛନ୍ତି ଯେ, ଚିଟଫଣ୍ଡ ମାମଲାରେ ୫ ଶହ କୋଟି ଚୋରି ହୋଇଛି। ମାଇନିଂ ସ୍କାମରେ ୫୦ ହଜାର କୋଟି ଟଙ୍କା ଲୁଟ୍ ହୋଇଛି। ଯେଉଁଠି ଯେଉଁଠି ଲୋକଙ୍କ ପଇସା ଲୁଟ୍ ହୋଇଛି, ସବୁ କାର୍ୟ୍ୟାନୁଷ୍ଠାନ ହେବ। ଲୁଟେରାଙ୍କୁ ଶାସ୍ତି ଦିଆଯିବ ଏବଂ ଲୋକଙ୍କୁ ନ୍ୟାୟ ମିଳିବ। ଏକ ମାତ୍ର କଂଗ୍ରେସ ହିଁ ଲୋକଙ୍କୁ ପ୍ରଗତି ପଥରେ ନେଇଯିବ ବୋଲି ରାହୁଲ କହିଛନ୍ତି।