ଭୁବନେଶ୍ୱର,୨୫/୧୦: ରାଜ୍ୟବାସୀଙ୍କୁ ୨୪ ଘଣ୍ଟା ପାଇପ୍ ଯୋଗେ ବିଶୁଦ୍ଧ ପାଣି ଯୋଗାଇବା ଲକ୍ଷ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ୟୁନିସେଫ ମଧ୍ୟରେ ଶୁକ୍ରବାର ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥି ପାଇଁ ଭୁବନେଶ୍ୱରର ୫ଟି ଅଞ୍ଚଳ, ପୁରୀର ୨ଟି ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଆରମ୍ଭ କରାଯିବ। ୨୦୨୦ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।
ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ ନାମିତ ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ୨୪ ଘଣ୍ଟା ପାଣି ଯୋଗାଇ ଦିଆଯିବା ସହିତ ଶତପ୍ରତିଶତ ମିଟର ବ୍ୟବସ୍ଥା କରାଯିବ। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କୁ ନିୟୋଜିତ କରାଯିବ ଏବଂ ସେଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ତାଲିମ ମଧ୍ୟ ଦିଆଯିବ।
ବୁଝାମଣ ପତ୍ର ସ୍ୱାକ୍ଷରିତ ହେବା ପରେ ନିଜ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ସବୁ ଘରକୁ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ସରକାର ପ୍ରାଥମିକତା ଦେଇଛନ୍ତି। ବିଶୁଦ୍ଧ ପାନୀୟ ଜଳ ହିଁ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ବିଶେଷ ସହାୟକ ହୋଇଥାଏ। ତେଣୁ ‘ୟୁନିସେଫ’ର ବୈଷୟିକ ସହାୟତାରେ ଆରମ୍ଭ ହେଉଥିବା ଏହି ପ୍ରକଳ୍ପ ଆମ ଲକ୍ଷ୍ୟ ପୂରଣରେ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଓ ୟୁନିସେଡ଼ ପ୍ରତିନିଧି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି।