କଂଗ୍ରେସ ଟାର୍ଗେଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ : ଅତିରିକ୍ତ ସଚିବ ବିଜେଡ଼ି କର୍ମୀ ଭଳି କାମ କରୁଛନ୍ତି

ଭୁବନେଶ୍ୱର, ୯/୧୨: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ଭୂମିକାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବାବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରକୁ ଟାର୍ଗେଟ୍‌ କରିଛି ରାଜ୍ୟ କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ବିଜେଡ଼ି କର୍ମୀଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଡାକିବାକୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଚିଠି ଲେଖିଥିବା ନେଇ ସଙ୍ଗୀନ ଅଭିଯୋଗ କରିଛି ଦଳ । ତେଣୁ ପ୍ରଦୀପ୍ତ ମହାପାତ୍ରଙ୍କୁ ତୁରନ୍ତ ପଦରୁ ବହିଷ୍କାର କରାଯାଉ । ଏହା ସହିତ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସ୍ପଷ୍ଟୀକରଣ ସହିତ କ୍ଷମା ମାଗିବାକୁ ଏକ ସାମ୍ବାଦିକ ସମ୍ମଳନୀରେ ଦାବି କରିଛି କଂଗ୍ରେସ ମିଡ଼ିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ।
ସତ୍ୟପ୍ରକାଶଙ୍କ ଅଭିଯୋଗ ମୁତାବକ, ଓଡ଼ିଶାରେ ଥିବା କିଛି ଆଇଏଏସ୍‌ମାନେ ବିଜେଡ଼ି କର୍ମୀ ଭଳି ଆଚରଣ କରୁଛନ୍ତି । ବିଶେଷ କରି କିଛି ଆଇଏଏସ୍‌ ଓ ଓଏଏସ୍‌ମାନଙ୍କର ପ୍ରମୁଖ କାମ ହେଲା ସରକାରୀ ଟଙ୍କାରେ ବିଜୁ ଜନତା ଦଳର ସଭା ସଙ୍କୀର୍ତ୍ତନ କରିବା । ବରଯାତ୍ରୀ ଭଳି ବିଜେଡ଼ି ନେତା ଓ କର୍ମୀଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଉଛି । ଏହା ରାଜନୈତିକ ପକ୍ଷପାତିତାର ନିଦର୍ଶନ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସଚିବ ପ୍ରଦୀପ୍ତ ମହାପାତ୍ର ବିଜେଡ଼ି କର୍ମୀଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଡାକିବାକୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଚିଠି ଲେଖିଛନ୍ତି । ଏହା ଅଲ୍‌ ଇଣ୍ଡିଆ ସର୍ଭିସ୍‌ କଣ୍ଡକ୍ଟ ନିୟମକୁ ଉଲ୍ଲଂଘନ କରୁଛି । ତେଣୁ ତାଙ୍କୁ ତୁରନ୍ତ ପଦରୁ ବହିଷ୍କାର କରିବାକୁ ସେ ଦାବି କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଏହାର ସ୍ପଷ୍ଟୀକରଣ ଦେଇ ତୁରନ୍ତ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି ।