କଟକ ଧାନ ଗବେଷଣା କେନ୍ଦ୍ରଠାରେ ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ଓ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କଟକ, ୨୬/୨: କଟକର ଧାନ ଗବେଷଣା କେନ୍ଦ୍ର (ଆଇସିଏଆର୍) ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତିପ୍ରସ୍ତର ଓ ଲୋକାର୍ପଣ ଦିବସରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଯାହା କହେ, ତାହା କରେ । ୨୦୧୬ ମେ ମାସରେ ବିଶ୍ୱସ୍ତରର ଗୋଟିଏ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହଙ୍କ ନେତୃତ୍ୱରେ ଏଠାରେ କରାଯାଇଥିଲା । ଅଢେଇ ବର୍ଷ ପରେ ଆଜି ଲୋକାର୍ପଣର ଶୁଭ ଅବସର ସୃଷ୍ଟି ହୋଇପାରିଛି । ଏଥିପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହକୁ ଚାଷୀକୂଳ ତରଫରୁ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।
ଆଜି କଟକ ରେଳ ରେଷ୍ଟସନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ, ଓଡିଶାରେ କଟକ-ବ୍ରହ୍ମପୁର ଟ୍ରେନ୍ ଆନ୍ଧ୍ରର ଇଚ୍ଛାପୁର ପର୍ଯ୍ୟନ୍ତ ସଂପ୍ରାସାରଣ, ଦୁଇଟି ରେଳ ନରାଜ ଷ୍ଟେସନରେ ରହିବ, ଅରୁଣଦୋୟ ନଗରରେ ନୂଆ ପୋଷ୍ଟ ଅଫିସ ଭବନ, ଇଆଇଏଲ ତରଫରୁ ଏ ଅଂଚଳର ଦିବ୍ୟାଙ୍ଗ ଭାଇ ମାନଙ୍କୁ ଆତ୍ମନିର୍ଭର ହେବା ପାଇଁ ବିଭିନ୍ନ ଉପକରଣ ବଂଟନ କରାଯିବା ସହ ମଧୁବାବୁଙ୍କ ଜନ୍ମସ୍ଥାନରେ କନ୍ୟା ମାନଙ୍କ ପାଇଁ ଗୋଟେ ସ୍କୁଲର ନିର୍ମାଣ କାମ ମଧ୍ୟ ଓଏନଜିସି ସହାୟତାରେ ନିଆଗଲା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୩୦ ରୁ ୩୫ ଲକ୍ଷ ଟଙ୍କାର ଦାୟିତ୍ୱ ପାରମ୍ଭିକ ଅବସ୍ଥାରେ ଭାରତ ସରକାରଙ୍କ ତରଫରୁ ନିଆଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯିବ । ଆମେ ଯାହା କହିଥିଲୁ ତାହା କରି ଦେଖାଇଛୁ ।
ସେ କହିଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଧାମୋହନ ସିଂହ କୃଷି ମନ୍ତ୍ରୀ ଦାୟିତ୍ୱ ନେବା ପରେ କୃଷକଙ୍କ ଆୟକୁ ଦୁଇ ଗୁଣ କରିବାର ଯୋଜନା ତିଆରି ହେଲା । ଜୟ କିଷାନ କେବଳ ସ୍ଲୋଗାନ ହୋଇରହିନାହିଁ, ଚାଷୀମାନଙ୍କୁ ନିଜ ଗୋଡରେ ଠିଆ କରିବାର ସୁଦୀର୍ଘ ମିଆଦି ଯୋଜନାମାନ ଆରମ୍ଭ ହୋଇଛି । ଚାଷୀ ଅସମ୍ଭବକୁ ସମ୍ଭବ କରି ଦେଖାଇଛି । ଚାଷୀମାନଙ୍କ ଉତ୍ପାଦନ ଯୋଗୁଁ ଆଜି ଦେଶରେ ଖାଦ୍ୟ ପୂର୍ଣ୍ଣମାତ୍ରାରେ ଅଛି ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପୂର୍ବରୁ ଭାରତବର୍ଷରେ ଡାଲି ବାହାରୁ ଆମଦାନୀ ହେଉଥିବାରୁ ଡାଲିର ମୂଲ୍ୟ ଅଧିକ ରହୁଥିଲା । ମାତ୍ର ମୋଦି ସରକାର ଆସିବା ପରେ ଗତ ୩ ବର୍ଷରେ ଡାଲିର ଉତ୍ପାଦନ ବହୁ ପରିମାଣରେ ବୃଦ୍ଧି ପାଇଲା । ଏତେ ଡାଲି ଉତ୍ପାଦନ ହେଲା ଯେ ନିନ୍ଦୁକମାନେ ସମାଲୋଚନା କରିବାକୁ ମଧ୍ୟ ବାଟ ପାଇଲେ ନାହିଁ । ଭୋକରେ ରହି ଏବଂ ପରିଶମ୍ର କରି ଦେଶର ଆବଶ୍ୟକତାକୁ କୃଷକମାନେ ପୂରଣ କରିବାର ଦାୟିତ୍ୱ ଦେଇଛନ୍ତି ।
ଭାରତ ସରକାର ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା,ଚାଷୀ ମାନଙ୍କର ଜିନିଷକୁ ଅନଲାଇନ୍ ମାଧ୍ୟମରେ ବିକ୍ରି କରିବା, ରାଷ୍ଟ୍ରୀୟ ଗୋକୁଲ ମିଶନ,ରାଷ୍ଟ୍ରୀୟ କାମଧେନୁ ଯୋଜନା କଲେ । ଏହାବ୍ୟତିତ ଓଡିଶା ତଥା ଭାରତରେ ମାଛ ଚାଷରେ ସଂଶ୍କିଷ୍ଟ ଥିବା ଲୋକ ମାନଙ୍କ ପାଇଁ ମୋଦି ସରକାର ମତ୍ସ୍ୟପାଳନ ବିଭାଗ କଲେ । କିଷାନ କ୍ରେଡିଟ କାର୍ଡର ବ୍ୟବସ୍ଥା କରି ଚାଷୀଙ୍କୁ ଋଣ ଦେବାର ବ୍ୟବସ୍ଥା କରାଇଲେ । ମୋଦି ସରକାର ଭାରତ ତଥା ଓଡିଶାର ଯୁବକଙ୍କ ଆତ୍ମନିର୍ଭରଶୀଳ କରିବା ପାଇଁ ଅନେକ ଦାୟିତ୍ୱ ନେଲେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।