କଟକ, ୬/୧୨- ଏଣିକି ବଦଳିଯିବ କଟକ ସହରର ପରିମଳ ରୂପରେଖ। ସହରବାସୀଙ୍କୁ ଦୈନିକ ମିଳିବ ୩ କୋଟି ୬୦ ଲକ୍ଷ ଲିଟର ବିଶୁଦ୍ଧ ପାନୀୟଜଳ। ବୁଧବାର ୧୧୦ କୋଟି ଟଙ୍କା ବ୍ୟୟରେ ସିଡିଏଠାରେ ନିର୍ମିତ ଅତ୍ୟାଧୁନିକ ‘ବର୍ଜ୍ୟଜଳ ବିଶୋଧନାଗାର’କୁ ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏଥିସହ ଏହି ପ୍ରକଳ୍ପରେ ପୋଲିସ କଲୋନୀଠାରେ ନିର୍ମିତ ଘଣ୍ଟାକୁ ୭୨ ଲକ୍ଷ ଲିଟର ଜଳ ନିଷ୍କାସନ କ୍ଷମତା ସମ୍ପନ୍ନ ଡ୍ରେନେଜ ପମ୍ପିଙ୍ଗ୍ ଷ୍ଟେଶନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଲେ, ବିଶୋଧନାଗାର ଓ ତତ୍ସଂଲଗ୍ନ ଭୂତଳ ସ୍ବେରେଜ ଲାଇନ୍ ଦ୍ୱାରା ସହରର ଲୋକମାନେ ଉପକୃତ ହେବେ। ବୁଧବାରଠାରୁ ମହାନଦୀ ଓ କାଠଯୋଡି ରିଂରୋଡର ମଧ୍ୟବର୍ତ୍ତୀ ଅଞ୍ଚଳ ବିଡାନାସିଠାରୁ ମଙ୍ଗଳାବାଗ, ଫ୍ରେଣ୍ଡ୍ସ କଲୋନୀ, ଝୋଲାସାହି, ବଙ୍ଗାଳିସାହି ଓ ପୁରୀଘାଟ ଅଞ୍ଚଳର ଲୋକେ ଏହି ପ୍ରକଳ୍ପର ସେବା ନେଇ ପାରିବେ। ଏଥିସହ ପ୍ରାୟ ୩ ହଜାର କୋଟି ଟଙ୍କା ବ୍ୟୟରେ ମତଗଜପୁରଠାରେ ନିର୍ମାଣାଧୀନ ବିଶୋଧନାଗାର ଆଉ ଅଳ୍ପଦିନ ମଧ୍ୟରେ ଲୋକର୍ପିତ ହେବାପରେ ସହରରେ ସ୍ବେରେଜ ଓ ଡ୍ରେନେଜ ବ୍ୟବସ୍ଥାର ଆହୁରି ସୁଧାର ଆସିବ। ଆସନ୍ତା ୩୦ ବର୍ଷ ପର୍ଯ୍ୟନ୍ତ ସହରବାସୀଙ୍କର ଜଳକଷ୍ଟ ଦୂର ହୋଇପାରିବ।