କନ୍ଧମାଳ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ୨୫୦ କୋଟି ଟଙ୍କାର ଭେଟି

0

ଫୁଲବାଣୀ, ୧୦/୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର କନ୍ଧମାଳ ଗସ୍ତରେ ଆସି ଅପରାହ୍ନରେ ଫୁଲବାଣୀ ଷ୍ଟାଡିୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉଦ୍‌ଘାଟନ କରିବା ସହ ନୂତନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାପରେ ବିଜୁ ଯୁବ ବାହିନୀ ଆଞ୍ଚଳିକ ସମାବେଶକୁ ଉଦ୍‌ବୋଧନ ଦେଇ ଯୁବକମାନେ ସଂଗଠିତ ହୋଇ ରାଜ୍ୟ ବିକାଶରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି। ଜିଲାରେ ମୋଟ ୨୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଉଦ୍‌ଘାଟନ ପ୍ରକଳ୍ପ ମଧ୍ୟରେ ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟର ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ଛାତ୍ରୀନିବାସ, ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ, ଫୁଲବାଣୀରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ୬୦୦ସିଟ୍‌ ବିଶିଷ୍ଟ ଅନ୍ବେଷା ହଷ୍ଟେଲ, ସମ୍ପ୍ରସାରିତ ଏବଂ ଆଧୁନିକୀକରଣ କନ୍ଧମାଳ ପ୍ରକ୍ରିୟାକରଣ ୟୁନିଟ୍‌, ଫୁଲବାଣୀ ସ୍ବୟଂକ୍ରିୟ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ, ଜିଲା ପଞ୍ଚାୟତ ସମ୍ବଳକେନ୍ଦ୍ର, ବୋଇଡା ଉଚ୍ଚ ମାଧ୍ୟମିକ ସ୍କୁଲ, ନବନିର୍ମିତ ଜିଲା ଲାଇବ୍ରେରି, ଜି.ଉଦୟଗିରି ୬୦୦ ସିଟ୍‌ ବିଶିଷ୍ଟ ଅନ୍ବେଷା ହଷ୍ଟେଲ ଓ ଟିକାବାଲି ୪୦୦ ସିଟ୍‌ ବିଶିଷ୍ଟ ଅନ୍ବେଷା ହଷ୍ଟେଲ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ରହିଛି। ସେହିପରି ଭିତ୍ତିପ୍ରସ୍ତର ସ୍ଥାପନ ପ୍ରକଳ୍ପ ମଧ୍ୟରେ ଫୁଲବାଣୀ ଗୋଚ୍ଛାପଡା ରାସ୍ତା ଉନ୍ନତୀକରଣ, ଚକାପାଦ, ଖଜୁରିପଡା, ଦାରିଙ୍ଗବାଡି, ଟିକାବାଲି, ବାଲିଗୁଡା ଏବଂ କୋଟଗଡ ବ୍ଲକର ୮ ହାଇଲେଭଲ ସେତୁ, ଫୁଲବାଣୀ, ଚକାପାଦ, ଖଜୁରିପଡା, ତୁମୁଡିବନ୍ଧ ଏବଂ ବାଲିଗୁଡା ବ୍ଲକରେ ୧୦ ଉନ୍ନୀତ ହାଇସ୍କୁଲ, ଫିରିଙ୍ଗିଆ, ଦାରିଙ୍ଗବାଡି, ତୁମୁଡିବନ୍ଧ ଏବଂ କୋଟଗଡ ବ୍ଳକର ୧୪ ଗ୍ରାମ୍ୟ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ, ଫୁଲବାଣୀରେ ୧୦୦ ସିଟ୍‌ ବିଶିଷ୍ଟ ସଂଖ୍ୟାଲଘୁ ଛାତ୍ରବାସ, ରାଇକିଆ-ଗଣ୍ଡଶୀଳା ନାଳ-ସାରଙ୍ଗଗଡ ଏବଂ ରାଇକିଆ -ସିମନବାଡି ରାସ୍ତାର ଉନ୍ନତୀକରଣ, ଜି.ଉଦୟଗିରି ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ସମ୍ପ୍ରସାରଣ କାର୍ଯ୍ୟ, ବାଲିଗୁଡା ଏନ୍‌ଏସି ଜଳଯୋଗାଣ ପ୍ରକଳ୍ପର ଉନ୍ନତୀକରଣ କାର୍ଯ୍ୟ ଓ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ଆନ୍ତଃ ବିଭାଗ ଓ ବହିଃ ବିଭାଗ କାର୍ଯ୍ୟ ଆଦି ରହିଛି। ଜି.ଉଦୟଗିରିରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ବାଲିଗୁଡାରେ ବେଲି ବ୍ରିଜ୍‌ ଆଦି ରହିଛି।

Leave A Reply

Your email address will not be published.