କର୍ଣ୍ଣାଟକ ନାଟକ: ବାଚସ୍ପତିଙ୍କୁ ସମୟ ଦେଲେ ସୁପ୍ରିମକୋର୍ଟ, ମଙ୍ଗଳବାର ପର୍ଯ୍ୟନ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରି ପାରିବେ ନାହିଁ

0

ନୂଆଦିଲ୍ଲୀ,୧୨/୭: କଂଗ୍ରେସ-ଜେଡିଏସର ବିଦ୍ରୋହୀ ବିଧାୟକ ଓ କର୍ଣ୍ଣାଟକ ବିଧାନସଭାର ବାଚସ୍ପତିଙ୍କ ଦ୍ଵାରା ଦାୟର ଯାଚିକା ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥିତାବସ୍ଥା ଜାରି ରଖିବାକୁ ଆଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ବାଚସ୍ପତିଙ୍କୁ ବିଧାୟକଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନେବା ପାଇଁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ସେହି ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

କୋର୍ଟ ଆଦେଶ ଦେଇଛନ୍ତି ଯେ, ସେ ପର୍ଯ୍ୟନ୍ତ ମାମଲା ଉପରେ ସ୍ଥିତାବସ୍ଥା ଜାରି ରହିବ। ଏହାର ଅର୍ଥ ବାଚସ୍ପତି ସେ ପର୍ଯ୍ୟନ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରି ପାରିବେ ନାହିଁ। କଂଗ୍ରେସ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ବାଚସ୍ପତିଙ୍କଠାରେ ଆବେଦନ କରିଛନ୍ତି। ଏହା ପୂର୍ବରୁ ସୁପ୍ରିମକୋର୍ଟ ଗୁରୁବାର ସେହି ଦିନ ବିଧାୟକଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କୁ କହିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାର ହେବ।

ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାରେ ସମ୍ବନ୍ଧିତ ପକ୍ଷଙ୍କ ଦଲିଲ ଶୁଣିଥିଲେ। ବିଦ୍ରୋହୀ ବିଧାୟକଙ୍କ ଓକିଲ ମୁକୁଲ ରୋହତଗୀ ବାଚସ୍ପତିଙ୍କ ଜାଣିଶୁଣି ଇସ୍ତଫା ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ କରିଥିବା ଅଭିଯୋଗ କରିଥିଲେ। ଜବାବରେ ବାଚସ୍ପତି ରମେଶ କୁମାରଙ୍କ ପକ୍ଷରୁ ହାଜର ଅଭିଷେକ ମନୁ ସିଙ୍ଘଭି ବିଶେଷାଧିକାର ତର୍କ ଦେଇ କହିଛନ୍ତି ଯେ, ଇସ୍ତଫା ଉପରେ ନିଷ୍ପତ୍ତି ନେବା ପୂର୍ବରୁ ବିଧାୟକ କଣ ପାଇଁ ଇସ୍ତଫା ଦେଇଛନ୍ତି ତାର ସ୍ପଷ୍ଟ କାରଣ ଜାଣିବାକୁ ଚାହୁଁଛନ୍ତି।

୧୦ ଜଣ ବିଦ୍ରୋହୀ ବିଧାୟକ କୋର୍ଟରେ ଦାବି କରିଛନ୍ତି ଯେ,ସେ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେ, ସେମାନଙ୍କର ଇସ୍ତଫା ସ୍ଵୀକାର କରାଯାଉ। ଅନ୍ୟ ପଟେ ବାଚସ୍ପତି ବିଧାୟକଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନେବା ପାଇଁ ଅଧିକ ସମୟ ଦାବି କରିଥିଲେ।

Leave A Reply

Your email address will not be published.