କର୍ଣ୍ଣାଟକ : ସଙ୍କଟରେ କୁମାରସ୍ଵାମୀ ସରକାର, ସମର୍ଥନ ପ୍ରତ୍ୟାହାର କଲେ ଦୁଇ ଜଣ ବିଧାୟକ

0

ବେଙ୍ଗାଲୁରୁ,୧୫/୧: କର୍ଣ୍ଣାଟକର ଏଚଡି କୁମାରସ୍ଵାମୀ ସରକାର ଉପରେ ସଙ୍କଟ ଗମ୍ଭୀର ହେଉଥିବା ଦେଖିବାକୁ ମିଳିଛି। ଜେଡିଏସ-କଂଗ୍ରେସ ମେଣ୍ଟ ସରକାରରୁ ଏବେ ଦୁଇ ଜଣ ନିର୍ଦ୍ଦଳୀୟ ବିଧାୟକ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ଯାହା କର୍ଣ୍ଣାଟକ ରାଜନୀତିକୁ ନୂତନ ମୋଡ଼କୁ ନେଇ ଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ ଘୋଡ଼ା ବେପାର କରି ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ବିଜେପି ବିଧାୟକଙ୍କ ଉପରେ ଆରୋପ ଲଗାଇଛନ୍ତି। ଅନ୍ୟ ପଟେ ସଦ୍ୟତମ ଖବର ମୁତାବକ କଂଗ୍ରେସର ୪ ରୁ ୫ ବିଧାୟକ ମୁମ୍ବାଇରେ ଅଛନ୍ତି। ଅପରପକ୍ଷେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିରୁ ବର୍ତ୍ତିବା ପାଇଁ ଏବଂ ନିଜର ବିଧାୟକଙ୍କୁ ଏକଜୁଟ ରଖିବା ପାଇଁ ବିଜେପି ସମସ୍ତ ବିଧାୟକଙ୍କୁ ହରିୟାଣାର ଏକ ରିସର୍ଟରେ ନେଇ ରଖିଛି।

ରାଜ୍ୟର ଦୁଇ ଜଣ ନିର୍ଦ୍ଦଳୀୟ ବିଧାୟକ ମଙ୍ଗଳବାର ଅଚାନକ ଜେଡିଏସ-କଂଗ୍ରେସ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ନିର୍ଦ୍ଦଳୀୟ ବିଧାୟକ ଏଚ ନାଗେଶ ଓ ଶଙ୍କର ସରକାର ସହ ଅସନ୍ତୁଷ୍ଟ ପ୍ରକାଶ କରି ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। କୁହାଯାଉଛି ଯେ ଉଭୟ ବିଧାୟକ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି।

ନିର୍ଦ୍ଦଳୀୟ ବିଧାୟକ ଶଙ୍କର କହିଛନ୍ତି ଯେ, ଆଜି ମକର ସଂକ୍ରାନ୍ତି ଏବଂ ଏହି ଅବସରରେ ଆମେ ସରକାରରେ ପରିବର୍ତ୍ତନ ଚାହୁଁଛୁ। ରାଜ୍ୟରେ ଏକ ପ୍ରଭାବଶୀଳ ସରକାର ହେବା ଉଚିତ୍। ତେଣୁ ଏହି ଦୃଷ୍ଟିରୁ ଆଜି କର୍ଣ୍ଣାଟକ ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରୁଛି। ବିଧାୟକଙ୍କ କହିବା କଥା ସରକାରଙ୍କ କାର୍ଯ୍ୟଶୈଳୀରେ ସେ ଖୁସି ନଥିଲେ। ତେଣୁ କୁମାରସ୍ଵାମୀ ସରକାରଠୁ ସେ ସମର୍ଥନ ଫେରାଇ ନେଉଛନ୍ତି। ଦୁଇ ବିଧାୟକ କର୍ଣ୍ଣାଟକ ରାଜ୍ୟପାଳଙ୍କୁ ଚିଠି ଲେଖି ତତ୍କାଳ ପ୍ରଭାରୁ ସମର୍ଥନ ପ୍ରତ୍ୟାହାର କରୁଥିବା ନିଜର ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.