କାରଗିଲ୍ ବିଜୟ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ଓ ସେନାଧ୍ୟକ୍ଷ ବିପିନ ରାଓ୍ଵତଙ୍କ ଆଖିରେ ଲୁହ

0

ନୂଆଦିଲ୍ଲୀ,୨୭/୭: କାରଗିଲ୍ ବିଜୟ ଦିବସ ଅବସରରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଏମିତି କିଛି ମୁହୂର୍ତ୍ତ ଆସିଥିଲା ଯେବେ ସଭାଗୃହରେ ବସିଥିବା ସମସ୍ତ ବ୍ୟକ୍ତି ଭାବୁକ ହୋଇ ଉଠିଥିଲେ ଏବଂ ନିଜର ଆଖିର ଲୁହକୁ ରୋକି ପାରିନଥିଲେ। ସେମାନଙ୍କ ଆଖିରୁ ସ୍ଵତଃପ୍ରବୃତ ଭାବେ ଲୁହ ଝରି ଆସିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବହୁତ ଭାବୁକ ହୋଇଥିଲେ ଏବଂ ତାଙ୍କ ଆଖିରୁ ମଧ୍ୟ ଅଶ୍ରୁ ବୋହିଥିଲା। ସ୍ଥଳସେନାଧ୍ୟକ୍ଷ ବିପିନ ରାଓ୍ଵତ ମଧ୍ୟ ନିଜର ଲୁହକୁ ରୋକି ପାରିନଥିଲେ। ଏହି ସମୟରେ ସମସ୍ତଙ୍କ ଆଖି ଲୁହରେ ଛଳ ଛଳ ହୋଇ ଉଠିଥିଲା।

ଏହି କାର୍ଯ୍ୟକ୍ରମରେ ଯୁବକଙ୍କ ଏକ ଟିମ୍ ନିଜର ନୃତ୍ୟ ଅଙ୍ଗଭଙ୍ଗି ଜରିଆରେ ଜଣେ ସହିଦଙ୍କ କାହାଣୀ ବାଖ୍ୟା କରିଥିଲେ। ଏହି କାହାଣୀ କାରଗିଲ୍ ଯୁଦ୍ଧରେ ସହିଦ ହୋଇଥିବା ଲାନ୍ସ ନାୟକ ବଚ୍ଚନ ସିଂହଙ୍କର ଥିଲା। କାରଗିଲ୍ ଯୁଦ୍ଧରେ ସହିଦ ଯବାନଙ୍କ ଶେଷ ଚିଠିକୁ ପଢି ଏହି ଡ୍ୟାନ୍ସ ଗ୍ରୁପ ନୃତ୍ୟ ପରିବେଷଣ କରିଥିଲେ। ଏହି ପ୍ରଦର୍ଶନ ପରେ ଏମିତି ମୁହୂର୍ତ୍ତ ଆସିଥିଲା ଯେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଖି ଲୁହରେ ଭରି ଯାଇଥିଲା। ଲାନ୍ସ ନାୟକ ବଚ୍ଚନ ସିଂହଙ୍କ ପତ୍ନୀ ଶ୍ରୀମତି କମଲେଶ ବାଲାଙ୍କୁ ଷ୍ଟେଜ ଉପରକୁ ଡକାଯାଇ ସମ୍ମାନିତ କରାଯାଇଥିଲା। ତାଙ୍କ ସହିତ ତାଙ୍କର ପୁତ୍ର ଲେଫ୍ଟନାଣ୍ଟ ହିତେଶ ମଧ୍ୟ ଉପସ୍ଥିତ ଥିଲେ। ଲେଫ୍ଟନାଣ୍ଟ ହିତେଶ ନିଜର ପିତାଙ୍କ ବାଟାଲିୟନରେ ହିଁ ଅଫିସର ଅଛନ୍ତି।

କାରଗିଲ ଯୁଦ୍ଧରେ ଭାରତକୁ ନିଜର ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନଠୁ ମିଳିଥିବା ବିଜୟର ୨୦ ବର୍ଷ ପୂର୍ତ୍ତି ଅବସରରେ କୃତଜ୍ଞ ରାଷ୍ଟ୍ର ଦେଶର ବୀର ଯବାନଙ୍କ ସର୍ବୋଚ୍ଚ ବଳିଦାନ ଓ ବାହାଦୂରୀକୁ ସଲାମ କରିଛି। ବୀର ଯବାନ ପାକିସ୍ତାନର ଅନୁପ୍ରବେଶକାରୀଙ୍କୁ ଭଗାଇ କାଶ୍ମୀରର ଅନେକ ପର୍ବତ ଶିଖରକୁ ପୁଣି ଥରେ ନିଜର ନିୟନ୍ତ୍ରଣକୁ ଆଣିଥିଲେ। ଜୁଲାଇ ୨୬ ତାରିଖରେ ଭାରତୀୟ ସ୍ଥଳ ସେନା କାରଗିଲର ବରଫାବୃତ ପର୍ବତର ଶିଖରରେ ପ୍ରାୟ ସାଢେ ତିନି ବର୍ଷ ପର୍ଯ୍ୟନ୍ତ ଚାଲିଥିବା ଲଢେଇ ପରେ ଅପରେସନ ବିଜୟ ସଫଳ ହୋଇଥିବା ଘୋଷଣା କରିଥିଲେ। ଏହି ସୀମିତ ଯୁଦ୍ଧରେ ଭାରତ ନିଜର ପ୍ରାୟ ୫୦୦ ସୈନିକଙ୍କୁ ହରାଇଥିଲା।

Leave A Reply

Your email address will not be published.