ସମ୍ବଲପୁର, ୮/୧୨: ଭୀମସାରର ନିର୍ଦ୍ଦେଶକ ଡ.ଅଶ୍ୱିନୀ କୁମାର ପୂଜାହାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ନୋଟିସର ଉତ୍ତର ନ ଦେଲା ପର୍ଯ୍ୟନ୍ତ ଛୁଟିରେ ପଠାଯିବା ପରେ ଦୀର୍ଘ ୨୨ ଦିନ ଆନ୍ଦୋଳନରତ ଜୁନିୟର ଡକ୍ଟର ଆସୋସିଏସନ ତାଙ୍କର ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଆନ୍ଦୋଳନକୁ ସ୍ଥଗିତ ରଖିବା ସହ ଆଜି ଠାରୁ ସେମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି।
ଉଲ୍ଲେଖନୀୟ ଯେ ଡା.ପୂଜାହାରୀଙ୍କ ଉପରେ ଅନେଥିକାଲ ମେଡିକାଲ ପ୍ରାକ୍ଟିସେସ ଅଭିଯୋଗ ଓ ଭିଡିଓ ଭାଇରାଲ ଘଟଣା ଆସିବା ପରେ ସରକାରଙ୍କ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତିନି ଦିନ ମଧ୍ୟରେ ଏହାର ଉତ୍ତର ଦେବା ପାଇଁ କୁହାଯାଇଛି । ଯଦି ସେ ଏହି ସମୟ ମଧ୍ୟରେ ଉତ୍ତର ଦେବେ ନାହିଁ ତେବେ ଉତ୍ତର ନାହିଁ ବୋଲି ବିବେଚନା କରାଯିବ। ପରେ ନିର୍ଦ୍ଦେଶକଙ୍କ ବିରୋଧରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ଗତକାଲି ଏହି ଘଟଣାରେ ମଧ୍ୟ ଶ୍ରୀ ପୂଜାରୀ ସର୍ଜରି ୟୁନିଟ ପଦରୁ ଇସ୍ତଫା ଦେଇଥିଲେ।
ଅନ୍ୟପକ୍ଷରେ କଟକ ସ୍ଥିତ ଆଂଚଳିକ ସ୍ପାଇନାଲ ଇଂଜୁରୀ ସେଂଟରର ନିର୍ଦେଶକ ଡ. ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କୁ ସାମୟିକ ଭାବେ ଭିମସାରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଡ.ପୂଜାହାରୀଙ୍କ ଦ୍ୱାରା ଗରୀବ ରୋଗୀଙ୍କ ଉପରେ ଲୁଣ ଓ ତାବେଲା ଥେରାପୀ କରିବା ନେଇ ଅଭିଯୋଗ କରି ଗତ ୧୭ ନଭେମ୍ବରରୁ ଭିମସାରର ଜୁନିୟର ଡାକ୍ତର ମାନେ ଆନ୍ଦୋଳନ ଜାରି ରଖିଥିଲେ।