କାଳିଆ ବୁଝେ ଶିଳ୍ପ ବଳିଆ ବୁଝେ ଚାଷ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୨୬/୧: ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବା ଲାଗି ଦିନିକିଆ ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀ ଫେରିଯାଇଛନ୍ତି। ପୂର୍ବାହ୍ନ ୧୦ଟା ୫୦ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବା ପରେ ପିସିସି ପକ୍ଷରୁ ରାହୁଲଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରେ ଦଳର ବହୁ ବରିଷ୍ଠ ନେତା ତାଙ୍କୁ ସ୍ବାଗତ କରିଥିଲେ। ରାହୁଲ ସିଧାସଳଖ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବାକୁ ବାହାରିଥିଲେ। ଏହି ସମୟରେ ବିମାନବନ୍ଦରଠାରେ ଜଣେ ଫଟୋ ଖବରଦାତା ଝୁଣ୍ଟି ପଡିଯାଇଥିଲେ। ଏହି ସମୟରେ ରାହୁଲ ଦୌଡି ଆସି ତାଙ୍କୁ ଉଠାଇଥିଲେ। ଏହାପରେ ରାହୁଲ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇଥିଲେ। ସେଠାରେ କାର୍ଯ୍ୟକ୍ରମ ସାରି ରାହୁଲ ଅପରାହ୍ନ ୨ଟା ସମୟରେ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା, ମାତ୍ର ସେ ପାଖାପାଖି ଦୁଇଘଣ୍ଟା ବିଳମ୍ବରେ ଅର୍ଥାତ୍‌ ୩ଟା ୫୧ରେ ଆସି ସେଠାରେ ପହଞ୍ଚିଥିଲେ। ସଭା ସ୍ଥଳରେ ଭୁବନେଶ୍ୱର ଜିଲା ସଭାପତି ମାନସ ଚୌଧୁରୀ ରାହୁଲଙ୍କୁ ପୁଷ୍ପମାଳ ଦେଇ ସ୍ବାଗତ କରିଥିବା ବେଳେ ବରିଷ୍ଠ ନେତା ସୁରେଶ ରାଉତରାୟ ଏକ ମୁକୁଟ ପିନ୍ଧାଇଥିଲେ। ଏହାସହ ଅନ୍ୟ ନେତାମାନେ କିଛି ଉପହାର ସ୍ବରୂପ ରାହୁଲଙ୍କୁ ଦେଇଥିଲେ। ଏହି ଅବସରରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ରାଜସ୍ଥାନର ପୂର୍ବତନ ମୁଖ୍ୟ ଶାସନ ସଚିବ ଜେ.ସି. ମହାନ୍ତି ଏବଂ ଜୁନାଗଡ ଆସନରୁ ଭାଜପା ବିଧାୟକ ପ୍ରାର୍ଥୀ ହୋଇଥିବା ଅନିଲ ସିଂ ଦେଓ ରାହୁଲଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ଅବସରରେ ରାହୁଲ ଏହି ତିନି ନେତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି।

ଏହି ଅବସରରେ ଦଳର ବହୁ ବରିଷ୍ଠ ନେତା ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ କହିଥିଲେ ଯେ, ଓଡିଶାର ୬୫ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ରାଜ୍ୟ ସରକାର ପିଠା, କାଳିଆ ଭଳି ବହୁ ଯୋଜନା କରୁଛନ୍ତି। ତଥାପି ଏତେ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ କାହିଁକି ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ସରକାରକୁ ଆସି କୃଷିଋଣ ଛାଡ କରିବାପରେ ଏଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା କଲେ। ହେଲେ କାଳିଆ ଶିଳ୍ପ କଥା ବୁଝେ। ପ୍ରକୃତରେ ଚାଷୀ କଥା ବଳିଆ ବୁଝେ ବୋଲି କହି ନିରଞ୍ଜନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ଅବସରରେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ନିଜ ଭାଷଣରେ ଦଳ ଛାଡିଥିବା ନେତାଙ୍କ କଥା କହି ସମାଲୋଚନା କରିଥିଲେ। ରଣା ବୁଲି ବୁଲି ସେଇ ଅଗଣା ଢଗ କହି ଦଳ ଛାଡିଥିବା ନେତା ପୁଣି ଏଠାକୁ ଫେରିବେ ବୋଲି କହିଥିଲେ। ସେତେବେଳେ ସେମାନଙ୍କୁ ଉଚିତ ଜବାବ୍‌ ଦିଆଯିବ ବୋଲି ଶର୍ମା କହିଥିଲେ।