ପୁରୀ,୨୫/୧: ରାଜ୍ୟ ସରକାର ଆଜି ‘କାଳିଆ’ ଯୋଜନାରେ ୧୨.୪୫ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୬୨୨କୋଟି ଟଙ୍କା ସ୍ଥାନାନ୍ତର କରିଛନ୍ତି। ପୁରୀର ମାଳତୀପାଟପୁରଠାରେ ଚାଷୀଙ୍କ ଏକ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ବଣ୍ଟନ ସମ୍ପର୍କରେ ଘୋଷଣା କରିଥିଲେ।
ଚାଷୀମାନେ ଉତ୍ପାଦନ କରୁଥିବା ଚାଉଳ ଓ ପରିବାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତ ହେଉଛି । ଚାଷୀମାନେ ଏକ ମହାନ ଓ ପବିତ୍ର କାର୍ଯ୍ୟ କରୁଛନ୍ତି । ସେଥିପାଇଁ ଯୋଜନାର ନାମ କାଳିଆ ରଖାଗଲା ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ଚାଷୀଙ୍କୁ ଚାଷୀଙ୍କୁ କାଳିଆ ସହାୟତା ପତ୍ର ପ୍ରଦାନ କରିଛନ୍ତି ।
ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ଶୁକ୍ରବାର ଚାଷୀଙ୍କ ଆକାଉଣ୍ଟଙ୍କୁ ଟଙ୍କା ଆସିଛି। ଯୋଜନା ଅନ୍ତର୍ଗତ ପ୍ରଥମ ଦିନରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଆକାଉଣ୍ଟକୁ ୬୬୨ କୋଟି ଟଙ୍କା ଆସିଛି। ରାଜ୍ୟ ସରକାର ଡିବିଟି ଆକାଉଣ୍ଟ ମାଧ୍ୟମରେ ଟଙ୍କା ପଠାଇଛନ୍ତି। ସରକାରଙ୍କ ପାଖରେ ଥିବା ୧୦ ଲକ୍ଷ ୫୦ ହଜାର ଚାଷୀଙ୍କ ମୋବାଇଲ ନମ୍ବରକୁ ଟଙ୍କା ପହଂଚିଥିବା ନେଇ ମେସେଜ ମଧ୍ୟ ପଠାଯାଇଛି।
କାଳିଆ ଯାତ୍ରାକୁ କେହି ରୋକିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିବା ସହ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅଭୟବାଣୀ ଦେଇଛନ୍ତି । ପୁରୀ ଚାଷୀ ସମାବେଶରେ କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ତଥା ସହାୟତା ରାଶି ଯୋଗାଇ ଦେବାର ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି । ଏହି ଯୋଜନା କେବଳ ଯେ, ଓଡ଼ିଶାର ଅର୍ଥନୀତିକୁ ବୃଦ୍ଧି କରିବ ନାହିଁ ବରଂ ୩ ବର୍ଷରେ ୬ଟି ଋତୁ ପାଇଁ ଚାଷୀଙ୍କ ଚାଷ କାର୍ଯ୍ୟକୁ ସୁନିଶ୍ଚିତ କରିବ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ।
ରାଜ୍ୟର ୯୨ ପ୍ରତିଶତ ଚାଷୀ ଏହି କାଳିଆ ଯୋଜନାରେ ଉପକୃତ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଟଙ୍କା ଆସିବା ଆରମ୍ଭ ହେବା ପରେ ରାଜ୍ୟବାପୀ ଖୁସି ଜାହିର କରିଛନ୍ତି ଚାଷୀ । ଏମିତିକି ଚାଷୀଙ୍କ ମୋବାଇଲକୁ ପହଂଚିବାରେ ଲାଗିଛି ମ୍ୟାସେଜ୍ । ଆଜିଠାରୁ ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ସିଧାସଳଖ ୫ ହଜାର ଟଙ୍କା ଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲିଠୁ ପର୍ଯ୍ୟାୟକ୍ରମେ ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ପହଂଚିବ କାଳିଆ ଟଙ୍କା ।