ଭୁବନେଶ୍ବର,୩୧/୧୨ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟ ସଚିବାଳୟରେ ମନ୍ତ୍ରୀ ଓ ବରିଷ୍ଠ ଅଧକାରୀଙ୍କ ଉପସ୍ଥିତିରେ ୧୦ ହଜାର କୋଟି ଟଙ୍କାର ‘କାଳିଆ’ (କୃଷକ ଆସିଷ୍ଟାନ୍ସ ଫର୍ ଲାଇଭ୍ଲିହୁଡ୍ ଆଣ୍ଡ ଇନକମ୍ ଅଗମେଣ୍ଟେସନ୍) ଯୋଜନାର ଶୁଭ ଉଦଘାଟନ କରିଥିଲେ ।
ଏହି ଯୋଜନା ଦ୍ବାରା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଉଭୟ ଖରିଫ ଓ ରବି ଫସଲ ସହାୟତା ବାବଦରେ ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଭୂମିହୀନ ଚାଷୀ ପରିବାରକୁ ଜୀବିକା ସହାୟତା ବାବଦରେ ମିଳିବ ୧୨ ହଜାର ୫୦୦ ଟଙ୍କା। ଭୂମିହୀନ ଶ୍ରମିକ ଓ ସମ୍ଭାବ୍ୟ ଆପଦଗ୍ରସ୍ତ ଚାଷୀ ପରିବାରକୁ ପେନ୍ସନ୍ ଭଳି ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଉଭୟ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଓ ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା ମିଳିବ। କେବଳ ସେତିକି ନୁହେଁ, ଚାଷୀଙ୍କୁ ଏଣିକି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ଯୋଗାଇ ଦେବେ ସରକାର।
ଏହାଦ୍ବାରା ରାଜ୍ୟର ୯୨ ପ୍ରତିଶତ ଚାଷୀ ଏବଂ ସମସ୍ତ ଭୂମିହୀନ କୃଷି ଶ୍ରମିକ ଉପକୃତ ହେବେ । ଏ ଅର୍ଥ ଡିଟିବି ବ୍ୟବସ୍ଥାରେ ଅର୍ଥାତ୍ ସେମାନଙ୍କ ଆକାଉଣ୍ଟରେ ହିଁ ଜମା କରାଯିବ। ଆସନ୍ତା ୩ ବର୍ଷରେ କାଳିଆ ଯୋଜନାରେ ୧୦ ହଜାର ୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ ଓ ୨୦୨୧ରେ ଏହାର ସମୀକ୍ଷା କରାଯାଇ ଆବଶ୍ୟକ ପରିବର୍ତନ ହେବ।