କେନ୍ଦ୍ରାପଡା, ୪/୧ : କେନ୍ଦ୍ରାପଡା ଡଙ୍ଗା ବୁଡି ଘଟଣାରେ ନିଖୋଜ ଥିବା ୬ ବର୍ଷିୟ ଶିଶୁ କନ୍ୟାର ମୃତ ଦେହ ଆଜି ଉଦ୍ଧାର କରାଯାଇଛି । ଓଡ୍ରାଫଫ ଟିମ ଗତକାଲିଠାରୁ ନିଖୋଜ ଥିବା ନାବାଳିକାଙ୍କୁ ଖୋଜାଖୋଜି କରିବାରେ ନିୟୋଜିତ ଥିବା ବେଳେ ଆଜି ସକାଳୁ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛି । ଏହା ସହିତ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ପହଁଚିଛି ।
ସୁଚନା ଅନୁଯାୟୀ, ଜଗସିଂହପୁର ଜିଲ୍ଲା କୁଜଙ୍ଗ ଅନ୍ତର୍ଗତ ହସିଣା ଗ୍ରାମର ୫୫ ଜଣ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକର ହୁକିଟୋଲାକୁ ଯାଇଥିଲେ । ଫେରିବା ସମୟରେ କେନ୍ଦ୍ରାପଡ଼ାର ନିପାଣିଆରେ ମହାନଦୀ ମୁହାଣରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଘଟଣାରେ ୧୦ ଜଣ ନିଖୋଜ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକ ଖୋଜା ଖୋଜି କରିବା ପରେ ଗତକାଲି ୯ ଜଣଙ୍କ ମୃତ ଦେହ ଉଦ୍ଧାର କରିଥିବା ବେଳେ ଜଣେ ୬ ବର୍ଷିୟ ଶିଶୁ କନ୍ୟା ନିଖୋଜ ହୋଇ ଯାଇଥିଲେ । ଆଜି ସକାଳେ ଓଡ୍ରାଫଫ ଟିମ୍ ଡଙ୍ଗାବୁଡ଼ି ଘଟଣାସ୍ଥଳଠାରୁ ପ୍ରାୟ ୨ କିଲୋମିଟର ଦୂରରୁ ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛି ।