କେନ୍ଦ୍ରାପଡ଼ା,୩/୧: ମହାନଦୀରେ ଡଙ୍ଗା ଓଲଟି ପଡ଼ିବା ଦୁଃଖଦ ଘଟଣାରେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଜଣେ ଶିଶୁ ନିଖୋଜ ଥିବା ଜଣାଯାଇଛି। ମୃତକମାନଙ୍କ ମଧ୍ୟରେ ୬ ଜଣ ଶିଶୁ ,୨ ଜଣ ମହିଳା ଓ ଜଣେ ପୁରୁଷ ଲୋକ ଅଛନ୍ତି। ଏହି ଘଟରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତକମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ସେହିପରି ଆହତମାନଙ୍କୁ ମାଗଣାରେ ଚିକିତ୍ସା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, କୁଜଙ୍ଗ ନିକଟରୁ ହସିଣା ଗ୍ରାମର କେତେଜଣ ଲୋକ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକର ହୁକିଟୋଲାକୁ ଯାଇଥିଲେ।ଗତକଶଲି ସନ୍ଧ୍ୟାରେ ସେମାନେ ଫେରୁଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଗଭୀର ଜଳ, ଅନ୍ଧାର ରାତି ଯୋଗୁଁ ୧୦ ଜଣ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଖୋଜାଖୋଜି କରି ୮ଜଣଙ୍କ ମତଦେହ ଉଦ୍ଧାର କରିଥିଲେ। ଯେଉଁଠାରେ ଡଙ୍ଗାବୁଡ଼ିଥିଲା, ସେଠାରେ କୁମ୍ଭୀର ଚଳପ୍ରଚଳ ହେଉଥିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପାପ୍ତ ହୋଇଥିଲା। ତେବେ ଆଜି ସକାଳୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ଆଉ ଜଣେ ଶିଶୁ ଏହି ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ଅଛନ୍ତି।
ଏ ସମ୍ପର୍କରେ ଜିଲ୍ଲାପାଳ ଦାଶରଥୀ ଶତପଥୀ କହିଛନ୍ତି ଯେ ଏହା ଏକ ଦୁଃଖଦ ଘଟଣା । ବର୍ତ୍ତମାନ ନିଖୋଜ ଥିବା ଶିଶୁଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଚାଲିଛି। ଆବଶ୍ୟକଠାରୁ ଅଧିକ ଯାତ୍ରୀ ଯୋଗୁଁ ଡଙ୍ଗା ବୁଡ଼ିଥିବା ଜିଲ୍ଲାପାଳ ଶ୍ରୀ ଶତପଥୀ କହିଛନ୍ତି।