କେନ୍ଦ୍ର ଓ ରାଜ୍ୟରେ “ଫିର୍ ଏକ୍ ବାର୍ ମୋଦି ସରକାର” : ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର,୧୨/୩ : ନୟାଗଡ ଜିଲ୍ଲା ଓଡଙ୍ଗା ବ୍ଲକ ଋଣପୁର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ୧୯ ବର୍ଷର ଶାସନରେ ମୁଖ୍ୟମନ୍ତ୍ରୀ ନୟାଗଡ ଜିଲ୍ଲାର ନିର୍ବାଚନ ମଣ୍ଡଳିରେ ପିଇବା ପାଣି ଦେଇପାରୁନାହାନ୍ତି, ୨୪ ଘଂଟା ବିଜୁଳିନାହିଁ, ସରକାରୀ କାମ ବିନା ଲାଂଚରେ ହୁଏ ନାହିଁ । ତା’ ହେଲେ କେଉଁ କଥାରେ ପାରିବାପଣିଆ ! ଏଥିରେ ମୁଖ୍ୟମନ୍ତ୍ରୀ ଭାରତରେ ଓଡିଶାକୁ ୧ ନମ୍ବର କରିବା କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଠକି ଆପଣମାନେ ଖୁସି ହେବା କଥା କହୁଛନ୍ତି । ସେ କହିଛନ୍ତି ଯେ ଆଜିର ସଭା ଆଗାମୀ ନିର୍ବାଚନର ପରିବତର୍ନର ସୂଚକ । ଯେଉଁମାନେ ଭୁବନେଶ୍ୱରରେ ଶୀତତାପ ନିୟନ୍ତ୍ରିତ କକ୍ଷରେ ଅଫିସର ରାଜ୍ ଚଲାଇଛନ୍ତି ସେମାନଙ୍କ ସମୟ କାଳ ଶେଷ ହୋଇ ଆସୁଛି । ଡିମିସର ସଭା ଏହାର ସ୍ପଷ୍ଟ ପ୍ରମାଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ୫ ବର୍ଷର ଶାସନକାଳରେ ଅନେକ ଲୋକାଭିମୁଖୀ ଯୋଜନା କରିଛନ୍ତି । ଭାରତବର୍ଷରେ ନରେନ୍ଦ୍ର ମୋଦୀ ମା’ ଭଉଣୀ ମାନଙ୍କ ଉଜ୍ଜତ ରକ୍ଷା କରି ଶୌଚାଳୟ ନିର୍ମାଣ କରିଛନ୍ତିା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଦେଶରେ ୭ କୋଟି ଓ ଓଡିଶାର ୪୦ ଲକ୍ଷ ଘରେ ଏଲଜିଜି ପହଚାଁଇ ମହିଳାଙ୍କ ଆଖିରୁ ନରେନ୍ଦ୍ର ମୋଦୀ ଲୁହ ପୋଛିଛନ୍ତି । ସୁକନ୍ୟା ସମୃଦ୍ଧି, ମୁଦ୍ରା ଯୋଜନା, କିଷାନ ସମ୍ମାନ ନିଧି ଯୋଜନାର ବ୍ୟବସ୍ଥା ନରେନ୍ଦ୍ର ମୋଦୀ କରିଛନ୍ତି ବୋଲି ସେ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ୨୦୦୯ ରୁ ୧୪ କଂଗ୍ରେସର ଶାସନ ସମୟରେ ଦିଲ୍ଲୀରେ ୨୫ ଲକ୍ଷ ୫୭ ହଜାର ଘର ବନିଥିଲା । ମାତ୍ର ନରେନ୍ଦ୍ର ମୋଦୀଙ୍କ ଶାସନରେ ୧ କୋଟି ୪୦ ଲକ୍ଷ ଘର ବନିଛି । ପୂର୍ବରୁ ଘର ପିଛା ୭୫ ହଜାର ଟଙ୍କା ଆସୁଥିଲା । କିନ୍ତୁ ଏବେ ଏବେ ଦେଢ ଲକ୍ଷ ଟଙ୍କା ଆସୁଛି । ୨୦୨୨ ସୁଦ୍ଧା ଭରତବର୍ଷରେ ଜଣେ ହେଲେ ବି ଗରିବ ରହିବେ ନାହିଁ ଯାହା ମୁଣ୍ଡ ଉପରେ ଛାତ ନଥିବ ।

ମାତ୍ର ଓଡିଶାରେ ୨୦ ଲକ୍ଷ ଲୋକଙ୍କ ଘରଡିହ ନାହିଁ । ୩୦ ଲକ୍ଷ ଗରିବଙ୍କ ମୁଣ୍ଡ ଉପରେ ଛାତ ନାହିଁ । ଓଡିଶାରେ ମାନ୍ୟବରଙ୍କ ଚେଲା ଚେପାଟିମାନଙ୍କୁ ହାତଗୁଞ୍ଜା ନଦେଲେ ଘର ତିଆରି ହେଇପାରୁନାହିଁ । ପ୍ରଧାନମନ୍ତ୍ରୀ କହିଲେ ଚିଟପଣ୍ଡର ଦାନବଙ୍କୁ ଦାନା ଦେଉଛି କିଏ । ଏମାନଙ୍କୁ ଦାନା ମାନ୍ୟବର ଦେଉଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡିଶା ସରକାର କାଳିଆ ଯୋଜନା କରିଥିବା ବେଳେ ଏହାର ଲାଭାର୍ଥୀ କିଏ ଜଣାନାହିଁ । ଅନ୍ୟପଟେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୧୨ କୋଟି ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ବ୍ୟବସ୍ଥା ନରେନ୍ଦ୍ର ମୋଦି କଲେ । ଏହି ଯୋଜନାରେ ଓଡିଶାର ୪୫ ଲକ୍ଷ ଚାଷୀ ଉପକୃତ ହୋଇପାରନ୍ତେ ମାତ୍ର ନବୀନ ବାବୁ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରୟିତା କାରଣରୁ ଚାଷୀଙ୍କ ତାଲିକା ଦିଲ୍ଲୀକୁ ପଠାଉନାହାନ୍ତି । ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ ନୀତି ମୁଖ୍ୟମନ୍ତ୍ରୀ ଆପଣାଇଛନ୍ତି ବୋଲି ସେ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡିଶାର ଋଣଭାର ଲକ୍ଷ କୋଟି ଟଙ୍କା ହେଲାଣି । ରାଜ୍ୟ ସରକାରଙ୍କ ପାଖରେ ହକି ଖେଳରେ ସଲମାନ ଖାନ, ମାଧୁରୀ ଦିକ୍ଷୀତଙ୍କୁ ନଚେଇବାକୁ ପଇସା ଅଛି । ମାତ୍ର ସରକାରୀ ସ୍କୁଲର ଶିକ୍ଷକମାନଙ୍କୁ ଦରମା ଦେବାକୁ ପଇସା ନାହିଁ । ଓଡିଶାରେ ଏହା ନୀତି ହୋଇଛି ।

ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ବିକାଶ ହୋଇଛି । ଯେଉଁ ନେତା ଦେଶର ବିିକାଶ କରୁଛି, ଦେଶର ମାନ୍ ସମ୍ମାନ ବଢାଇବା ସହ ସୁରକ୍ଷା କରୁଛି ତାଙ୍କୁ ତଥା ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କରିବା ପାଇଁ ପଡିବ । ନରେନ୍ଦ୍ର ମୋଦୀଙ୍କ ବିକାଶର ଯୋଜନାକୁ ଓଡିଶାରେ ପହଁଚାଇବାକୁ ହେଲେ ଭୁବନେଶ୍ୱରରେ ମୋଦୀଙ୍କ ଅନୁଯାୟୀଙ୍କ ସରକାର ବନେଇବାକୁ ପଡିବ । ଅପାରଗ, ସ୍ଥାଣୁ, ଭ୍ରଷ୍ଟାଚାର, ସମ୍ବେଦନହୀନ ରାଜ୍ୟ ସରକାରକୁ ବଦଳିବା ଦରକାର । ଓଡିଶାରେ ଡବଲ ଇଞ୍ଜିନ ଲଗାଇବା ଦରକାର । ରାଜ୍ୟ ସରକାର ବଦଳିବା, ଦରକାର କହିବା ସହ ଫିର୍ ଏକ୍ ବାର୍ ମୋଦି ସରକାର ବୋଲି ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.