କେନ୍ଦ୍ର କ୍ରୀଡ଼ା ବିଭାଗ ପକ୍ଷରୁ ପଦ୍ମ ବିଭୂଷଣ ପାଇଁ ମେରିକମ୍‌ଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୨/୯: ଛ’ଥର ବିଶ୍ୱ ବିଜୟିନୀ କିମ୍ବଦନ୍ତୀ ବକ୍ସର ଏମ୍‌.ସି. ମେରିକମ୍‌ଙ୍କ ନାମକୁ ଦେଶର ୨ୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ପାଇଁ ଗୁରୁବାର କେନ୍ଦ୍ର କ୍ରୀଡ଼ା ବିଭାଗ ପକ୍ଷରୁ ସୁପାରିସ କରାଯାଇଛି। ପ୍ରଥମଥର ଲାଗି କ୍ରୀଡ଼ା ବିଭାଗ ପକ୍ଷରୁ ଜଣେ ମହିଳା ଆଥ୍‌ଲେଟ୍‌ଙ୍କ ନାମକୁ ଏହି ସମ୍ମାନଜନକ ପୁରସ୍କାର ଲାଗି ସୁପାରିସ କରିବା ପ୍ରଥମ ଘଟଣା। ଭାରତରତ୍ନ ପରେ ପଦ୍ମ ବିଭୂଷଣ ଦେଶର ୨ୟ ସର୍ବୋଚ୍ଚ ନାଗରିକ ସମ୍ମାନ। ସେହିଭଳି ତାରକା ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁଙ୍କ ନାମକୁ ପଦ୍ମ ଭୂଷଣ ପାଇଁ ସୁପାରିସ କରାଯାଇଛି। ଅପରପକ୍ଷରେ ପଦ୍ମଶ୍ରୀ ତାଲିକାରେ ୭ଜଣ ମହିଳା କ୍ରୀଡ଼ାବିତ୍‌ଙ୍କ ସମେତ ତୀରନ୍ଦାଜ ତରୁଣଦୀପ ରାଇ ଓ ହକି ଅଲିମ୍ପିଆନ ଏମ୍‌.ପି. ଗଣେଶ ସ୍ଥାନ ପାଇଛନ୍ତି। ପ୍ରଥମେ ପଦ୍ମଶ୍ରୀ ସୁପାରିସ ତାଲିକାରେ ୭ ମହିଳା କ୍ରୀଡ଼ାବିତ୍‌ଙ୍କ ନାମ ରହିଥିବାବେଳେ ବିଳମ୍ବରେ ତରୁଣଦୀପ୍‌ ଓ ଗଣେଶଙ୍କ ନାମକୁ ଏଥିରେ ଯୋଡ଼ା ଯାଇଥିଲା।

୩୬ ବର୍ଷୀୟା ମେରିକମ୍‌ ଏକମାତ୍ର ମହିଳା ବକ୍ସର ଭାବେ ରେକର୍ଡ ୬ଥର ଲାଗି ଆମେଚର ବକ୍ସିଂ ଚାମ୍ପିୟନ ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏଥିସହ ଏକମାତ୍ର ମହିଳା ବକ୍ସର ଭାବେ ବିଶ୍ୱ ଚାମ୍ପିୟନଶିପ୍‌ର ୭ଟି ଯାକ ସଂସ୍କରଣରେ ପଦକ ଜିତିବାର ରେକର୍ଡ ତାଙ୍କ ନାମରେ ରହିଛି। ପଦ୍ମ ଇତିହାସରେ ୪ର୍ଥ କ୍ରୀଡ଼ାବିତ୍‌ ଭାବେ ମେରିକମ୍‌ ପଦ୍ମ ବିଭୂଷଣ ପୁରସ୍କାର ହାସଲ କରିବେ। ତାଙ୍କ ପୂର୍ବରୁ ଚେସ୍‌ ତାରକା ବିଶ୍ୱନାଥନ ଆନନ୍ଦ (୨୦୦୭), କ୍ରିକେଟ୍‌ ଲିଜେଣ୍ଡ ସଚିନ ତେନ୍ଦୁଲକର (୨୦୦୮) ଓ ପର୍ବତାରୋହୀ ସାର୍‌ ଏଡ୍‌ମଣ୍ଡ ହିଲାରୀ (୨୦୦୮) ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ଏଥିପୂର୍ବରୁ ମେରିକମ୍‌ ୨୦୦୬ରେ ପଦ୍ମଶ୍ରୀ ଓ ୨୦୧୩ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି।